ବଦଳିପାରେ ଭାରତ-ଚାଇନା ସମ୍ପର୍କ: ଚଳିତ ମାସ ଶେଷରେ ଭାରତ ଗସ୍ତରେ ଆସୁଛନ୍ତି ଚାଇନା ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଗତ ଦୁଇ ବର୍ଷ ଧରି ଭାରତ ଏବଂ ଚାଇନା ମଧ୍ୟରେ ଲାଗି ରହିଥବା ବିବାଦୀୟ ପରିସ୍ଥିତିରେ ସୁଧାର ଆସିବାକୁ ଯାଉଛି। ଚଳିତ ମାସ ଶେଷରେ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତ ଗସ୍ତ କରିପାରନ୍ତି। ଯଦିଓ ଏହା ଦୁଇ ଦେଶର ସରକାରୀ ସ୍ତରରେ ସୁନିଶ୍ଚିତ କରାଯାଇ ନାହିଁ, କିନ୍ତୁ ୱାଙ୍ଗ ୟିଙ୍କ ଗସ୍ତ ସମ୍ପର୍କରେ ନୂଆଦିଲ୍ଲୀ ସ୍ଥିତ ଦୂତବାସ ସହ ବେଦେଶିକ ମନ୍ତ୍ରଳାୟର ଅଧିକାରୀମାନେ ଆଲୋଚନା କରିଥିବା ଖବର ରହିଛି।

ଯଦି ୱାଙ୍ଗ ଆସନ୍ତି, ତେବେ ଲଦାଖର ଗଲୱାନ ଭ୍ୟାଲିରେ ଜୁନ୍ ୨୦୨୦ରେ ଭାରତ-ଚାଇନା ସୈନ୍ୟଙ୍କ ହିଂସାତ୍ମକ ସଂଘର୍ଷ ପରେ ଏହା ତାଙ୍କର ପ୍ରଥମ ଗସ୍ତ ହେବ। ତେବେ ଏହି ଗସ୍ତ ସମ୍ପର୍କରେ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିପାରି ନଥିଲେ ମଧ୍ୟ ଏହି ବିଷୟରେ ଉଭୟ ପକ୍ଷରୁ କୁହାଯାଇଛି ଯେ ଉପଯୁକ୍ତ ସମୟରେ ଏହା ଘୋଷଣା କରାଯିବ।

ୱାଙ୍ଗ ୟି ସେପ୍ଟେମ୍ବର ୨୦୨୦ ରେ ଋଷରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ, ଯାହା ଗଲୱାନ ଉପତ୍ୟକାରେ ସାମରିକ ତିକ୍ତତାକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥିଲା। ଏହା ପରେ ଦୁଇ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ୍ ମାଧ୍ୟମରେ ଆଲୋଚନା ହୋଇଛି।