କୋରାପୁଟ,ଏନ୍ଏନ୍ଏସ୍: ଦାମନଯୋଡ଼ି ଥାନା କେରେଗାଁରେ ଅବକାରୀ ବିଭାଗ ଚଢ଼ଉ କରି ବିପୁଳ ପରିମାଣର ପୋଚ ଓ ରନ୍ଧା ଦେଶୀ ମଦ ଜବତ କରିଛି। ଦାମନଯୋଡ଼ି, ମାଥାଲପୁଟ ଓ ଭେଜାପୁଟ ଅଞ୍ଚଳରେ ଦେଶୀ ମଦ ଯୋଗାଇବାକୁ ଜଙ୍ଗଲ ଅଞ୍ଚଳରେ ବ୍ୟାପକ ଚୋରା ମଦ ପ୍ରସ୍ତୁତି ହେଉଥିବା ଅଭିଯୋଗ ପାଇ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀ ସେହି ଅଞ୍ଚଳରେ ଚଢ଼ଉ କରିବାକୁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅବକାରୀ ନିରୀକ୍ଷକ ପ୍ରମୋଦ କୁମାର ବାଣୁଆ, ସଦର ଓଆଇସି ଦିଲ୍ଲୀପ କୁମାର ରଥ ଓ ଡିଏଫଏସ୍ ସହ ଆଜି ପୂର୍ବାହ୍ନରେ ଚଢ଼ଉ କରି ୨,୧୫୦ ଲିଟର ପୋଚ ଓ ୨୨୫ ଲିଟର ଦେଶୀ ମଦ ଜବତ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ଚୋରା ମଦ ବେପାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଚଢ଼ଉରେ ଅବକାରୀ ଏଏସଆଇ ଅରପଲୋକ ଦାଶ, କନେଷ୍ଟବଳ ତ୍ରିଲୋଚନ ରାୟଚେଟ୍ଟୀ, ସବିତା ପୁଜାରୀ, ଗୀତାରାଣୀ ଦଳପତି, ପ୍ରଶାନ୍ତ କୁମାର ନାୟକ, ଆର୍ ଭେଙ୍କେଟେସ୍ କୁମାର, ରାମଚନ୍ଦ୍ର ଗୌଡ଼ ଓ ବୁଲୁ ଗୌଡ଼ ପ୍ରମୁଖ ସାମିଲ ହୋଇଥିଲେ। ଅବକାରୀ ସଦର ଥାନାରେ ଓଆଇସି ଦିଲ୍ଲୀପ କୁମାର ରଥ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।