୧୬ହଜାରରୁ ଅଧିକ ପରିମାଣର ପୋଚ ନଷ୍ଟ କଲା ଅବକାରୀ ବିଭାଗ

ବାଲେଶ୍ୱର,ଏନଏନଏସ୍: ବାଲେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଶନିବାର ପୁରୁଣା ବାଲେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ଦେଶୀ ମଦ ପ୍ରସ୍ତୁତ ପାଇଁ ମହଜୁଦ ଥିବା ପୋଚକୁ ନଷ୍ଟ କରାଯାଇଥିବା ବେଳେ ବିଭିନ୍ନ ସମାଗ୍ରୀକୁ ଅବକାରୀ ବିଭାଗ ଜବତ କରିଛି। ତେବେ ପୁରୁଣା ବାଲେଶ୍ୱରରେ ବିଭିନ୍ନ ଗଡିଆ ଏବଂ ବିଭିନ୍ନ ସ୍ଥାନରେ ମହଜୁଦ ରହିଥିବା୧୬ହଜାର ୭୫୦କେଜି ପୋଚକୁ ନଷ୍ଟ କରାଯାଇଛି ବୋଲି ଅବକାରୀ ଅଧିକାରୀ ଅଜୟ କୁମାର ବେହରା ସୂଚନା ଦେଇଛନ୍ତି। ଏନେଇ କାହାରିକୁ ଗିରଫ କରାଯାଇ ନଥିବା ବେଳେ ପୋଚ ରଖାଯାଇଥିବା ବିଭିନ୍ନ ସାମଗ୍ରୀକୁ ଜବତ କରାଯାଇଛି ବୋଲି କହିଛନ୍ତି।

ସୂଚନା ଅନୁସାରେ,ପୁରୁଣା ବାଲେଶ୍ୱରରେ ଦେଶୀ ମଦ କାରବାର ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ଅବକାରୀ ବିଭାଗ ଏବଂ ମୋବାଇଲ ସ୍କ୍ୱାର୍ଡର ମିଳିତଭାବେ ଚଢ଼ାଉ କରାଯାଇଥିଲା। ତେବେ ପୁରୁଣା ବାଲେଶ୍ୱରରେ ଦେଶୀ ମଦ ପ୍ରସ୍ତୁତ କରିବା ବିଭିନ୍ନ ପ୍ଲାଷ୍ଟିକ ଜାରରେ ପୋଚ ମହଜୁଦ ରଖାଯାଇଥିଲା।

ଏହି ପୋଚ ଗୁଡିକୁ ବିଭିନ୍ନ ଗଡିଆ ମଧ୍ୟରେ ଲୁଚାଇ ରଖିବା ସହ ଆଖୁବାଡି ଏବଂ ବୁଦାଳିଆ ଅଂଚଳରେ ଲୁଚାଇ ରଖଥିଲେ। ଅବକାରୀ ବିଭାଗ ପକ୍ଷରୁ ସେଠାରେ ଚଢ଼ାଉ କରାଯାଇ ପୋଚ ଗୁଡିକୁ ଢ଼ାଳି ନଷ୍ଟ କରି ଦିଆଯାଇଥିବା ବେଳେ ବିଭିନ୍ନ ପ୍ଲାଷ୍ଟିକ ଜାର ସହ ଅନ୍ୟାନ୍ୟ ସମାଗ୍ରୀକୁ ଜବତ କରିଛି। ହେଲେ ଏନେଇ କାହାରିକୁ ଗିରଫ କରାଯାଇ ନାହିଁ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି।