ଅବକାରୀ ବିଭାଗର ଚଢ଼ଉ: ବିଦେଶୀ ମଦ ଜବତ, ୨ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: ନାରାୟଣପାଟଣାରେ ଅବକାରୀ ବିଭାଗ ଚଢ଼ଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋରାପୁଟ ଅବକାରୀ ନିରୀକ୍ଷକ ପ୍ରମୋଦ କୁମାର ବାଣୁଆ ଏହି ସୂଚନା ଦେଇଛନ୍ତି। ନାରାୟଣପାଟଣାର ପୂର୍ଣ୍ଣ ଚନ୍ଦ୍ର ପୁରୁସେଠୀ ଓ ଶ୍ରୀକାନ୍ତ ଚୌଧୁରୀ ବେଆଇନ ଭାବେ ଘରେ ବିଦେଶୀ ମଦ ରଖି ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଫ୍ଲାଇଂ ସ୍କ୍ୱାଡ ଶ୍ରୀକାନ୍ତ ଓ ପୂର୍ଣ୍ଣଚନ୍ଦ୍ରଙ୍କ ଘରେ ଚଢ଼ଉ କରି ଉଭୟଙ୍କ ଘରୁ ୧୮୬.୨୮୫ ଲିଟର ବିଦେଶୀ ମଦ ଏବଂ ୧୭୯.୮୫୦ ଲିଟର ବିଅର ଜବତ କରିଥିଲା। ଜବତ ବିଦେଶୀ ମଦ ଓ ବିଅରର ମୂଲ୍ୟ ୧ ଲକ୍ଷ ୨୦ ହଜାର ୧୧୯ ଟଙ୍କା ହେବ ବୋଲି ଜଣାପଡିଛି। ଗିରଫ ଦୁଇଜଣ ଅଭିଯୁକ୍ତଙ୍କୁ ଲକ୍ଷ୍ମୀପୁର ଜେଏମଏଫସି କୋର୍ଟକୁ ଚାଲାଣ କରାଯାଇଛି।