ଜାତିସଂଘ ସେକ୍ରେଟାରୀ ଜେନେରାଲଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ନୂଆଦିଲ୍ଲୀ,ଏଜେନ୍ସି: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗତକାଲି (ମଙ୍ଗଳବାର) ସଂଯୁକ୍ତ ରାଷ୍ଟ୍ର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଅ ଗୁଟାରେସଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ଆଲୋଚନା ଅବସରରେ ଆଫଗାନ ସ୍ଥିତି ନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଆଲୋଚନା କରିଛନ୍ତି । ଯାହା ନିଜେ ଟ୍ୱିଟ କରି ଜୟଶଙ୍କର ସୂଚନା ଦେଇଛନ୍ତି।

ଭାରତ ଚଳିତ ଅଗଷ୍ଟ ମାସ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଅଛି। ଯେଉଁଥିପାଇଁ ଚଳିତ ସପ୍ତାହରେ ହେବାକୁ ଥିବା ୨ ଟି ଗୁରୁତ୍ବପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିବା ପାଇଁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆମେରିକା ଗସ୍ତରେ ଅଛନ୍ତି। ଆମେରିକା ଗସ୍ତ ପୂର୍ବରୁ ଜୟଶଙ୍କର ତାଙ୍କର ଆମେରିକା ପ୍ରତିପକ୍ଷଙ୍କ ସହ ଆଫଗାନ ସ୍ଥିତି ନେଇ ଫୋନ ଯୋଗେ ଆଲୋଚନା କରିଥିଲେ। ଆଲୋଚନାରେ କାବୁଲ ବିମାନ ବନ୍ଦରକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଜୋର ଦେଇଥିଲେ ଜୟଶଙ୍କର। ଫଳରେ ଭାରତ ସମେତ ବିଦେଶୀ ନାଗରିକଙ୍କୁ ଉଦ୍ଧାର କରିବା ସହଜ ହୋଇଥିଲା।

ସେପଟେ ଜୟଶଙ୍କରଙ୍କ ଆମେରିକା ଗସ୍ତକୁ ନେଇ ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଭାରତ ଓ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ କାବୁଲ ସ୍ଥିତି ନେଇ ଆଲୋଚନା ହୋଇଛି। ସ୍ଥିତି ଉପରେ ଉଭୟ ଦେଶ କଡା ନଜର ରଖିଛନ୍ତି। ଭବିଷ୍ୟତକୁ ନେଇ ଆଲୋଚନା ହୋଇଛି। ଆଜି ଜାତିସଂଘରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଯେଉଁଥିରେ ସଂରକ୍ଷଣ, ସୁରକ୍ଷା, ପ୍ରଦ୍ଦ୍ୟୋଗିକ ଓ ଶାନ୍ତି ସ୍ଥିରତା ବଜାୟ ରଖିବା ପାଇଁ ଖୋଲା ବିତର୍କ ହେବ। ଏହାବାଦ ଆସନ୍ତାକାଲି (ଗୁରୁବାର) ମଧ୍ୟ ଜାତିସଂଘରେ ଆନ୍ତର୍ଜାତୀୟ ସମୂହ ପାଇଁ ଶାନ୍ତି ଓ ସୁରକ୍ଷା ପ୍ରତି ଥିବା ଆହ୍ବାନ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ। ଉଭୟ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଅଧ୍ୟକ୍ଷତା କରିବେ।