ଜିଲ୍ଲା ଅବକାରୀ ବିଭାଗର ଚଢ଼ଉ: ୩୭ ଲିଟର ଦେଶୀ ମଦ ଜବତ, ୨ଜଣ ଗିରଫ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ପୌର ପରିଷଦ ଅଞ୍ଚଳର ବିଭିନ୍ନ ସାହିରେ ଅବକାରୀ ବିଭାଗ ଓ ଅବକାରୀ ଭ୍ରାମ୍ୟମାଣ ୟୁନିଟ ପକ୍ଷରୁ ମିଳିତ ଭାବେ ଚଢ଼ଉ କରାଯାଇ ୩୭ ଲିଟର ଦେଶୀ ମଦ ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଛି। ଜିଲ୍ଲା ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଅବକାରୀ ବିଭାଗର କର୍ମଚାରୀମାନେ ପୌର ପରିଷଦ ଅଞ୍ଚଳର ବଣ୍ଡାବାକୁଳିଗୁଡ଼ା, ଲାଠିଆଗୁଡ଼ା ଓ ପ୍ରଧାନୀଗୁଡ଼ା ସାହିରେ ଚଢ଼ଉ କରିିଥିଲେ। ଚଢ଼ଉ ବେଳେ ଲାଠିଆଗୁଡ଼ାର କୁନି ପାତ୍ର ଓ ବଣ୍ଡାବାକୁଳିଗୁଡ଼ାର କବିତା ହିଆଲଙ୍କ ଘରୁ ମୋଟ ୩୭ ଲିଟର ଦେଶୀ ମଦ ଜବତ କରାଯାଇଛି। ଏଥିସହିତ ଉଭୟ ମହିଳାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇ ସେମାନଙ୍କୁ ଗିରଫ କରଯାଇଛି। ବର୍ତ୍ତମାନ ଜିଲ୍ଲାରେ କରୋନା ଉଗ୍ରରୂପ ଧାରଣ କରୁଥିବାବେଳେ ପୌର ପରିଷଦ ଅଞ୍ଚଳରେ ବିପୁଳ ପରିମାଣରେ ଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଏହାଦ୍ୱାରା କୋରନା ବ୍ୟାପିବାର ଆଶଙ୍କା ଥିବାରୁ ବୁଦ୍ଧିଜୀବୀମାନେ ବନ୍ଦ କରିବାକୁ ଦାବୀ କରିଥିଲେ। ସେଥିପାଇଁ ଏବେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଦୈନିକ ଚଢ଼ଉ ଜାରି ରହିଛି।