ଆକ୍ସନ ମୁଡରେ ଅବକାରୀ ବିଭାଗ; ରାତି ଅଧିଆ ଭାଙ୍ଗିଲା ଚୋରା ମଦଭାଟି

ରାୟଗଡା,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ନିନା ବେଉରା ଘଟଣା ପରେ ଦୀର୍ଘ ଦିନ ଧରି ଖାଲି ପଡିଥିବା ରାୟଗଡା ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ପଦବୀକୁ ୩ ତାରିଖ ଦିନ ଅବକାରୀ କମିସନର ଆଶିଷ ସିଂଙ୍କ ନିର୍ଦ୍ଦେଶକ୍ରମେ ନୂଆ ଅବକାରୀ ଅଧିକ୍ଷକ ଅଭିରାମ ବେହେରାଙ୍କୁ ରାୟଗଡା ବଦଳି କରାଯାଇଛି। ସେ ଦାୟିତ୍ଵ ନେବା ପରେ ରାୟଗଡା ଜିଲ୍ଲାରେ ଆରମ୍ଭ ହୋଇଛି ନକଲି ମଦ ଭାଟି ଭଙ୍ଗା ଅଭିଯାନ।

ରାୟଗଡା ସଦର ଅଧିକାରୀ ଓ ଜିଲ୍ଲା ମୋବାଇଲ ଟିମର ମିଳିତ ଚଢ଼ଉରେ ୨୬୪ ଲିଟର ବେଆଇନ ଦେଶୀ ମଦ ଜବତ ସହିତ ସଦର ଅଞ୍ଚଳରୁ ୧୧ଶହ ଲିଟର ପୋଚ ନଷ୍ଟ କରାଯାଇଛି। ଏଥିରେ ସମ୍ପୃକ୍ତ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ସେହିପରି ୫ ତାରିଖ ଦିନ ଜିଲ୍ଲାର ଚାନ୍ଦିଲି, କଲ୍ୟାଣସିଂପୁର, ଗୁଣୁପୁର ଓ ବିଶମକଟକ ଥାନା ଅଞ୍ଚଳରେ ବ୍ୟାପକ ଚଢ଼ଉ କରି ୨୩୨ ଲିଟର ଦେଶୀ ମଦ ଜବତ କରିବା ସହ ୨୨ଶହ ଲିଟର ପୋଚ ନଷ୍ଟ କରାଯାଇଛି।

ରାୟଗଡାର ପୂର୍ବତନ ଅବକାରୀ ଅଧିକ୍ଷକ ନିନା ବେଉରା ଭିଜିଲାନ୍ସ ଦ୍ୱାରା ହିସାବହୀନ ଟଙ୍କା କାରବାରରେ ଧରପଡିବା ପରେ ରାୟଗଡା ଅବକାରୀ ବିଭାଗ ଉପରେ ଲାଗିଥିଲା କଳଙ୍କ। ତେବେ ନୂଆ ଅବକାରୀ ଅଧିକ୍ଷକଙ୍କ ଆକ୍ସନ ମୁଡ କେତେଦିନ ଜାରି ରହିବ ତାହା ଦେଖିବାର ବାକିରହିଲା।