ଅବକାରୀ ବିଭାଗର କର୍ମଚାରୀଙ୍କ ମହିଳାଙ୍କୁ ଆକ୍ରମଣ ଅଭିଯୋଗ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପୁଣି ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡାବ୍ଲକ୍ ଅନ୍ତର୍ଗତ ସୋମନାଥପୁର ପଞ୍ଚାୟତସ୍ଥିତ ହାତୀଆମ୍ବ ଗ୍ରାମରେ ଦେଖିବାକୁ ମିଳିଛି। ଶନିବାର ଦିନ ପ୍ରାୟ ୧୧ଟା ସମୟରେ ବାଲିମେଳା ଅବକାରୀ ବିଭାଗ ହାତୀଆମ୍ବ ଗ୍ରାମକୁ ଯାଇ ସେଠାରେ ଅର୍ଜୁନ ଖେମୁଣ୍ଡୁଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀ ଯଶୋଦାଖେମୁଣ୍ଡୁଙ୍କୁ ଘରେ ପଶି ମାରିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ଅଭିଯୋଗ କ୍ରମେ ଅବକାରୀ ବିଭାଗ ପ୍ରଥମେ ଘରକୁ ଆସି ତମ ଘରେ ଗଞ୍ଜେଇ କେଉଁଠି ଅଛି ବୋଲି ପଚାରିଥିଲେ ଏବଂ ସେହି ସମୟରେ ମହିଳା ଜଣକ ତାଙ୍କ ୩ ମାସର ଛୁଆଟିକୁ ଧରି ସ୍ତନ୍ୟପାନ କରାଉଥିଲେ। ତେବେ ମହିଳା ଜଣଙ୍କ ଏ ସମ୍ପର୍କରେ କିଛି ଜାଣିନଥିବା କହିବାରୁ ଅବକାରୀ ବିଭାଗ କର୍ମଚାରୀ ଉକ୍ତ ମହିଳାଙ୍କୁ ଆକ୍ରମଣ କରି ଘରକୁ ଧଶେଇ ପଶିଥିଲେ ଏବଂ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ମହିଳା ଜଣଙ୍କ ସେଠାରେ ଅଚେତ ହୋଇଯାଇଥିଲେ। ପରେ ଅବକାରୀ ବିଭାଗ ଘରର ତଲାସି କରିବା ପରେ ଘରୁ କୌଣସି ଗଞ୍ଜେଇ ନ  ପାଇ ଫେରିଥିଲେ। ମହିଳା ଜଣଙ୍କୁ ନିସ୍ତୁକ ମାଡ଼ ମାରି ଘଟଣାକୁ ନେଇ ସାଧାରଣରେ ଜନ ଅସନ୍ତୋଷ ଦେଖାଦେଇଛି। ପରେ ମହିଳା ଜଣଙ୍କୁ ନେଇ କୁଡୁମୁଳୁଗୁମା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।