ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟଙ୍କ ସାମ୍ବାଦିକ ସମ୍ମିଳନୀ

ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଗତ ଶୁକ୍ରବାର ଦିନ ବିଧାନସଭା ମଧ୍ୟରେ ସାନିଟାଇଜର ପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ଏକ ପ୍ରାୟୋଜିତ ନାଟକ ବୋଲି ଆଜି ସ୍ଥାନୀୟ ରୌନକ ପ୍ଲାଜାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଦେବଗଡ଼ ଜିଲ୍ଲାର ସ୍ୱର୍ଣ୍ଣିମ ଇତିହାସରେ ବିଧାୟକ କଳଙ୍କ ବୋଳି ଦେଲେ ବୋଲି ଅଭିଯୋଗ କରିଥିଲେ। ସେହିପରି ଆଜିର ଦେବଗଡ଼ ପୂର୍ଵ ବାମଣ୍ଡାର ପ୍ରଶାସକ ସାରା ବିଶ୍ୱକୁ ନୂତନ ବୈଷୟିକ ଜ୍ଞାନ କୌଶଳ ଯୋଗାଇ ଶିକ୍ଷା, କୃଷି, ସାହିତ୍ୟକୁ ଉଚ୍ଚ ସୋପାନରେ ପହଞ୍ଚାଇ ଥିବାବେଳେ ବର୍ତ୍ତମାନ ବିଧାୟକ ଶ୍ରୀ ପାଣିଗ୍ରାହୀ ବିଧାନସଭା ମଧ୍ୟରେ ଆତ୍ମହତ୍ୟା ଉଦ୍ୟମ କରି ନୂତନ ପୀଢ଼ୀଙ୍କୁ କି ବାର୍ତ୍ତା ଦେଲେ ବୋଲି ପ୍ରଶ୍ନ କରିଥିଲେ। ଏଥିସହ ଗତ ୨୦୦୪ ମସିହାରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଛେପଲିପାଲି ପଂଚାୟତ ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମରେ ରାଜନୈତିକ ଅଭିଶନ୍ଧି ରଖି ଏକ ନିର୍ଦ୍ଦିଷ୍ଟ ପରିବାରର ୪ଜଣ ସ୍କୁଲ ଫେରନ୍ତା ନିଷ୍ପାପ ଶିଶୁଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯିବା ଘଟଣାରେ ବର୍ତ୍ତମାନ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ନିକଟ ସମର୍ଥକଙ୍କ ସମ୍ପୃକ୍ତି ଅଭିଯୋଗ ଥିଲେ ମଧ୍ୟ ରାଜ୍ୟରେ ତତ୍କାଳୀନ ବିଜେପି-ବିଜେଡି ମିଳିତ ସରକାର ପ୍ରଭାବରେ ଉକ୍ତ ମାମଲାର କ୍ରାଇମ ବ୍ରାଞ୍ଚ ତଦନ୍ତ ପ୍ରଭାବିତ ହେବା କାରଣରୁ ଅଭିଯୁକ୍ତମାନେ ମାମଲାରୁ ବର୍ତ୍ତି ଯାଇଥିଲେ। ଏଣୁ ଉକ୍ତ ମାମଲାକୁ ମୁଖ୍ୟମନ୍ତ୍ରୀ ପୁନଃତଦନ୍ତ କରି ଆଇନ ଆଖିରେ ଧୂଳି ଦେଇ ଖସି ଯାଇଥିବା ହତ୍ୟାକାରୀଙ୍କୁ ଗିରଫ କରି ଦଣ୍ଡ ପ୍ରଦାନ କରିବାକୁ ଦାବି କରିଥିଲେ। ଏଣୁ ଆଗାମୀ ଦିନରେ ବିଧାୟକ ଶ୍ରୀ ପାଣିଗ୍ରାହୀ ଏଭଳି ହୀନ କାର୍ୟ୍ୟରୁ ନିବୃତ ରହି ଦେବଗଡ଼ ଜିଲ୍ଲାର ବିକାଶ ପାଇଁ ଆତ୍ମହତ୍ୟା ଉଦ୍ୟମ ପରିବର୍ତ୍ତେ ସଂଗ୍ରାମୀ ମନୋଭାବ ନେଇ ସଂଗ୍ରାମ କରିବାକୁ ଆହ୍ୱାନ ଦେଇଥିଲେ ।