ଝାରସୁଗୁଡା ଟାଉନରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ପ୍ରଶାସନ ଓ ପୌରପରିଷଦର ମିଳିତ ଉଦ୍ୟମରେ ମଙ୍ଗଳବାର ଟାଉନ ଅଂଚଳରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଜିଲ୍ଲାପାଳ ସରୋକ କୁମାର ସାମଲଙ୍କ ନିର୍ଦ୍ଦେଶ ଅନୁସାରେ ରାସ୍ତା କଡରେ ଜବର ଦଖଲକରି ଖୋଲାଯାଇଥିବା ସମସ୍ତ ଦୋକାନ ବଜାରକୁ ଉଚ୍ଛେଦ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ବିଗବଜାର ଆଖପାଖ ଅଂଚଳରେ ଜବର ଦଖଲକୁ ଉଚ୍ଛେଦ କରାଯାଉଥିବା ବେଳେ ଆଗମୀ ଦିନରେ ସମ୍ପୂର୍ଣ୍ଣ ଟାଉନରୁ ଏହା ଉଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।

ଆଗାମୀ ଦିନରେ ହେବାକୁ ଥିବା ଝାରସୁଗୁଡା ମହୋତ୍ସବ ଦୁଲଦୁଲିକୁ ଆଖି ଆଗରେ ରଖି ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣାକୁ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହାସହ ଜବର ଦଖଲ କାରୀମାନେ ରାସ୍ତା ଉପରେ କବ୍ଚା କରିଥିବାରୁ ରାସ୍ତା ସଂକିର୍ଣ୍ଣ ହେବାସହ ଲୋକଙ୍କ ଯାତାୟତରେ ବହୁ ଅସୁବିଧା ଉପୁଜୁଥିଲା। ବାରମ୍ବାର ଏଠାରେ ଟ୍ରାଫିକ ସମସ୍ୟା ଉପୁଯିବାସହ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ।

ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କଲାପରେ ଆଜି ଉଚ୍ଛେଦ କାମ ଆରମ୍ଭ ହୋଇଛି। ଏହାକୁ ସ୍ଥାନୀୟ ଲୋକେ ପ୍ରଶଂସା କରୁଥିବାବେଳେ ଜବରଦଖଲକାରୀମାନେ ବିରୋଧ କରୁଛନ୍ତି। ଏହି ଜବରଦଖଲ ଉଚ୍ଛେଦ ଅବସରରେ ଝାରସୁଗୁଡା ତହସିଦାର ଦିଲ୍ଲୀପ କୁମାର ପ୍ରଧାନ, ପୌର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ, ଟାଉନ ଥାନା ଉପ ଅଧିକାରୀ ଓ ପୁଲିସକର୍ମୀମାନେ ଉପସ୍ଥିତ ଥିଲେ।