ଦିଲ୍ଲୀ ପୁଣି ଅଶାନ୍ତ, ପୁଲିସ୍-ଜନତା ମୁହାଁମୁହିଁ: ଭାଙ୍ଗିଲେ ଓ ଜାଳିଲେ

ଦିଲ୍ଲୀ: ମାତ୍ର କେଇ ଘଣ୍ଟାର ଶାନ୍ତ ପରେ ପୁଣି ଅଶାନ୍ତ ହୋଇପଡିଛି ଜାତୀୟ ରାଜଧାନୀ ନୂଆଦିଲ୍ଲୀ। ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ଜାମିଆ ପରେ ଯୁଦ୍ଧକ୍ଷେତ୍ର ପାଲଟିଛି ଜାଫରାବାଦ। ଏହି ଅଞ୍ଚଳରେ ପୁଲିସ ଓ ଜନତା ମଧ୍ୟରେ ହିଂସାକାଣ୍ଡ ଭଳି ସ୍ଥିତି ଉପୁଜିଛି। ଲଗାତାର ବିରୋଧ ପ୍ରଦର୍ଶନ କରିବା ସହିତ ବିକ୍ଷୋଭକାରୀମାନେ ପୁଲିସ ଉପରକୁ ଟେକା ଓ ପଥର ମାଡ କରିଛନ୍ତି। ଇତିମଧ୍ୟରେ ଉତ୍ତ୍ୟକ୍ତ ଶତାଧିକ ଜନତା ୩ଟି ବସକୁ ଭଙ୍ଗାରୁଜା କରିବା ସହ ପୁଲିସ୍ ବାଇକରେ ନିଆଁ ଲଗାଇ ଦେଇଛନ୍ତି। ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ପୁଲିସ ପକ୍ଷରୁ ଟିୟର ଗ୍ୟାସ ଛଡାଯାଇଥିଲା।

ଦିଲ୍ଲୀ ଅଶାନ୍ତକୁ ରୋକିବା ପାଇଁ ଅତିରିକ୍ତ ସେନା, ରାପିଡ୍ ଆକ୍ସନ ଫୋର୍ସ(ରାଫ୍) ଓ ପାରା ମିଲିଟାରୀ ଫୋର୍ସ ନିୟୋଜିତ କରାଯାଇଛି। ସିଲମପୁର, ଜାଫରାବାଦ ବେଲକମ୍, ଗୋକୁଲପୁରୀ, ମୌଜପୁର ଆଦି ମେଟ୍ରୋ ଷ୍ଟେସନକୁ ବନ୍ଦ କରିଦିଆଯାଇଛି।