ରାଜସ୍ଥାନ: କ୍ୟାବିନେଟ ସଂପ୍ରସାରଣ ପୂର୍ବରୁ ଇସ୍ତଫା ଦେଲେ ସବୁ ମନ୍ତ୍ରୀ

ଜୟପୁର,ଏଜେନ୍ସି: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଆସନ୍ତାକାଲି ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବେ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଶନିବାର ଗେହଲଟ୍ ସରକାରଙ୍କ ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଗେହଲଟ୍ ଶନିବାର ନୂଆଦିଲ୍ଲୀରେ ପହଞ୍ଚି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ଏକାଧିକ ବରିଷ୍ଠ ନେତାଙ୍କୁ ଭେଟି ସଂପ୍ରସାରଣ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡିଛି।

ସଂପ୍ରସାରଣ ପ୍ରକ୍ରିୟାରେ ସଚିନ ପାଇଲଟଙ୍କ ୬ ଜଣ ସମର୍ଥକଙ୍କୁ ମନ୍ତ୍ରୀପଦ ମିଳିବାର ସମ୍ଭାବନା ରହିଛି। ଏହାବ୍ୟତୀତ ନିକଟରେ କଂଗ୍ରେସରେ ଯୋଗଦେଇଥିବା ବହୁଜନ ସମାଜ ପାର୍ଟିର କେତେକ ବିଧାୟକଙ୍କୁ ମଧ୍ୟ ଏହି ସୁଯୋଗ ମିଳିପାରେ। ବର୍ତ୍ତମାନ ଗେହଲଟ୍‌ଙ୍କ କ୍ୟାବିନେଟରେ ୨୧ ଜଣ ମନ୍ତ୍ରୀ ଥିବାବେଳେ ଆଉ ୯ ଜଣଙ୍କୁ ସାମିଲ କରାଯାଇପାରିବ। ମନ୍ତ୍ରିପଦରୁ ଇସ୍ତଫା ଦେଇଥିବା କେତେକ ମନ୍ତ୍ରୀଙ୍କୁ ଅନ୍ୟ ରାଜ୍ୟର ଦାୟିତ୍ୱ ପ୍ରଦାନ କରାଯାଇଥିବା ଜଣାପଡିଛି।