କୁଆଁପାଳ,ଏନ୍ଏନ୍ଏସ୍: ସ୍ୱାଧୀନତାର ୭୦ ବର୍ଷ ପରେ ବି ମାହାଙ୍ଗା ବ୍ଲକ ନାହାଙ୍ଗ ପଞ୍ଚାୟତ ଅନ୍ତର୍ଗତ କେରାଳ ଗ୍ରାମର ଦଳିତ ବସ୍ତିକୁ ସଂଯୋଗ କରୁଥିବା ସରକାରୀ ରାସ୍ତାର ଅବସ୍ଥା ଶୋଚନୀୟକୁ ନେଇ ମହିଳାମାନେ ମୁହଁ ଖୋଲିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭୋଟ ସମୟ ଆସିଲେ ବିଧାୟକଙ୍କଠାରୁ ସରପଞ୍ଚ ପ୍ରାର୍ଥୀ ପର୍ଯ୍ୟନ୍ତ ଉକ୍ତ ଗ୍ରାମକୁ ଯାଇ ନାନା ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଉଥିବା ବେଳେ ଜିତିବା ପରେ କେହି ଦେଖା ଦେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି।
ଗାଁକୁ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ଚାରି ଚକିଆ ଯାନଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଯାଆସ କରିପାରୁନାହାନ୍ତି। ଏପରିକି ବର୍ଷା ଦିନେ ଉକ୍ତ ଦଳିତ ବସ୍ତିର ରାସ୍ତା ଶୋଚନୀୟ ହୋଇପଡ଼ୁଛି। ଏନେଇ ବସ୍ତିର ମହିଳାମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରାସ୍ତା ନିର୍ମାଣ କରିବା ପାଇଁ ଦାବି କରିଛନ୍ତି।