ରୋମାନିୟା ଓ ମୋଲଦୋବାରୁ ଗତ ୭ ଦିନରେ ଫେରିଲେ ୬,୨୨୨ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ରୋମାନିୟା ଓ ମୋଲଦୋବାରୁ ଗତ ୭ ଦିନରେ ୬ ହଜାର ୨୨୨ ଭାରତୀୟ ଛାତ୍ର ସ୍ୱଦେଶ ଫେରିଛନ୍ତି । ଆଗାମୀ ୨ ଦିନରେ ଆଉ ୧ହଜାର ୫୦ ଜଣଙ୍କୁ ଅଣାଯିବ । ଗତ ୭ ଦିନରେ କେବଳ ରୋମାନିୟାରୁ ୨୯ଟି ବିମାନ ସଞ୍ଚାଳନ କରାଯାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୂଚନା ଦେଇଛନ୍ତି ।

ଅନ୍ୟପଟେ ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ କହିଛନ୍ତି ଯେ, ସୁମିରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କୁ ନେଇ ଆମେ ଖୁବ୍ ଚିନ୍ତିତ ଅଛୁ । ଆମ ଛାତ୍ରଙ୍କ ପାଇଁ ଏକ ସୁରକ୍ଷିତ କୋରିଡର ବନାଇବା ପାଇଁ ତତ୍କାଳ ଅସ୍ତବିରତି କରିବାକୁ ଉଭୟ ଋଷ ଓ ୟୁକ୍ରେନ ସରକାରଙ୍କ ଉପରେ ଚାପ ପକାଯାଉଛି । ସମସ୍ତ ଛାତ୍ରଙ୍କୁ ୟୁକ୍ରେନରେ ସୁରକ୍ଷିତ ଓ ସଚେତ ରହିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ଛାତ୍ର ସୁରକ୍ଷିତ ସ୍ଥାନରେ ରୁହନ୍ତୁ ଏବଂ ଅନାବଶ୍ୟକ ବିପଦ ଉଠାନ୍ତୁନି । ବିଦେଶ ମନ୍ତ୍ରଣାଳୟ ଓ ଆମ ଦୂତବାସ ଲଗାତାର ଛାତ୍ରଙ୍କ ସମ୍ପର୍କରେ ରହିଛନ୍ତି ।