ନୂଆଦିଲ୍ଲୀ, ଏଜେନ୍ସି: କର୍ମଚାରୀ ଭବିଷ୍ୟ ନିଧି ସଂସ୍ଥା (ଇପିଏଫଓ) ୨୦୧୯-୨୦ ଆର୍ଥିକ ବର୍ଷପାଇଁ ପ୍ରାୟ ୬ କୋଟି ଅଂଶୀଦାରଙ୍କ କର୍ମଚାରୀ ଭବିଷ୍ୟ ନିଧି (ଇପିଏଫ) ଆକାଉଣ୍ଟରେ ୮.୫ ପ୍ରତିଶତ ସୁଧ ଜମା କରିବ ବୋଲି ଜଣାପଡ଼ିଛି। ସେପ୍ଟେମ୍ବରରେ ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଇପିଏଫଓ ଦୁଇଟି କିସ୍ତିରେ ଏହି ସୁଧ ଦେବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ କିସ୍ତିରେ ୮.୧୫ ପ୍ରତିଶତ ଏବଂ ଦ୍ୱିତୀୟ କିସ୍ତିରେ ୦.୩୫ ପ୍ରତିଶତ ସୁଧ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସୂଚନାନୁସାରେ, ଶ୍ରମ ମନ୍ତ୍ରଣାଳୟ ଚଳିତ ମାସ ଆରମ୍ଭରେ ୨୦୧୯-୨୦ ପାଇଁ ଇପିଏଫ ଉପରେ ୮.୫ ପ୍ରତିଶତ ସୁଧ ହାର ଦେବାକୁ ଅର୍ଥ ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ ଦେଇଛି । ଅର୍ଥ ମନ୍ତ୍ରଣାଳୟ ଏହି ପ୍ରସ୍ତାବକୁ କିଛି ଦିନ ମଧ୍ୟରେ ଅନୁମୋଦନ ଦେଇପାରେ ବୋଲି ସୂଚନା ମିଳିଛି । ଏହି ମାସରେ, ପୂର୍ଣ୍ଣ ସୁଧ ପ୍ରଦାନ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।