ନୂଆଦିଲ୍ଲୀ, ଏଜେନ୍ସି: ବିଜେପିର ଜାତୀୟ ସଭାପତି ଜେପି ନଡ୍ଡା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ପୋଷ୍ଟ କରିଛନ୍ତି। ସେ ସେଥିରେ ଉଲ୍ଲେଖ କରିଛନ୍ତି ଯେ, ପ୍ରାରମ୍ଭିକ କୋଭିଡ ଲକ୍ଷଣ ପ୍ରକାଶ ପାଇବାରୁ ସେ ପରୀକ୍ଷା କରିଥିଲେ। ରବିବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏଣୁ ଏହି ସମୟରେ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ଆଇସୋଲେଟ ହେବାସହ ନିଜର ଯାଞ୍ଚ କରାଇ ନେବାକୁ ପରାମର୍ଶ ଦେଇଛନ୍ତି। ପ୍ରକାଶ ଯେ, ନଡ୍ଡା ନିକଟରେ ପଶ୍ଚିମବଙ୍ଗ ଗସ୍ତ କରିଥିଲେ।
ଏହି ଗସ୍ତରୁ ଫେରିବା ପରେ ସେ ଅସୁସ୍ଥତା ଅନୁଭବ କରୁଥିଲେ। ଏଣୁ ସେ ତାଙ୍କର ପରୀକ୍ଷଣ କରାଇଥିବାବେଳେ କୋଭିଡ ସଂକ୍ରମିତ ହୋଇଥିବା ଜାଣିବାକୁ ପାଇଛନ୍ତି।ଗତ ଡିସେମ୍ବର ୧୦ ତାରିଖରେ ନଡ୍ଡା ଡାଇଣ୍ଡ ହାର୍ବର କର୍ମୀସମ୍ମିଳନୀରେ ଯୋଗଦେବାକୁ କୋଲକାତା ଆସିଥିଲେ। ଏହି ଗସ୍ତକାଳରେ ତାଙ୍କୁ ରାସ୍ତାରେ ଜନ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ବିକ୍ଷୋଭକାରୀମାନେ ତାଙ୍କ ପଟୁଆର ଉପରକୁ ଟେକାପଥର ମାଡ କରିଥିଲେ। ତେବେ ନଡ୍ଡା ବୁଲେଟପ୍ରୁଫ ଗାଡିରେ ଥିବାରୁ ତାଙ୍କୁ କୌଣସି ଆଘାତ ଲାଗିନଥିଲା।