ଆଜି ସମସ୍ତ ଐତିହ୍ୟସ୍ଥଳର ପ୍ରବେଶ ଶୁଳ୍କ ଛାଡ଼

ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ବ ଐତିହ୍ୟ ସପ୍ତାହ ଅବସରରେ ଆଜି ତାଜମହଲର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି । ତାଜମହଲକୁ ଯିବାକୁ ହେଲେ ପର୍ଯ୍ୟଟକଙ୍କୁ ଟିକେଟ କରିବାକୁ ପଡ଼ିବ ନାହିଁ । ସମସ୍ତ ପ୍ରତ୍ନତାତ୍ତ୍ୱିକ ସ୍ମାରକୀ ଗୁଡ଼ିକରେ ପ୍ରବେଶ ଶୁଳ୍କ ମୁକ୍ତ କରାଯାଇଥିବା ଏଏସଆଇ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ଏଏସଆଇ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶରେ ଉଲ୍ଲେଖ ରହିଛି, ଏଏସଆଇ ମହାନିର୍ଦ୍ଦେଶକଙ୍କ ଅନୁମୋଦନ କ୍ରମେ ଐତିହ୍ୟସ୍ଥଳର ପ୍ରବେଶ ଦର ଛାଡ଼ କରାଯାଇଛି । ବିଶ୍ବ ଐତିହ୍ୟ ସପ୍ତାହ ଅବସରରେ ବିଶ୍ବ ପ୍ରସିଦ୍ଧ, ତାଜମହଲ, ଆଗ୍ରା ଦୁର୍ଗ ସମେତ ଐତିହ୍ୟପୂର୍ଣ୍ଣ ପ୍ରାଚୀନ ଅଟ୍ଟାଳିକା ଏବଂ ସ୍ମାରକୀକୁ ପର୍ଯ୍ୟଟକମାନେ ମାଗଣାରେ ଯାଇପାରିବେ । ତାଜମହଲର ପ୍ରବେଶ ଟିକେଟ ୫୦ ଟଙ୍କା ଛାଡ଼ କରାଯାଇଛି । କିନ୍ତୁ ମୁଖ୍ୟ ଗମ୍ବୁଜକୁ ଯିବାକୁ ହେଲେ ଅତିରିକ୍ତ ମୂଲ୍ୟ ୨୦୦ ଟଙ୍କାର ଟିକେଟ କାଟିବାକୁ ହେବ। ଏହି ସମୟରେ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି।

ୟୁନିସ୍କୋ ପକ୍ଷରୁ ପ୍ରତିବର୍ଷ ବିଶ୍ବ ଐତିହ୍ୟ ସପ୍ତାହ ପାଳନ କରାଯାଏ । ନିଜ ପ୍ରାଚୀନ ଐତିହ୍ୟ ସମ୍ପର୍କରେ ଜାଣିବା ଏବଂ ସୁରକ୍ଷା ଦେବା ଏହାର ମୂଳ ଉଦ୍ଦେଶ୍ୟ । ଦେଶରେ ବର୍ତ୍ତମାନ ସୁଦ୍ଧା ୧୧୨୧ଟି ଐତିହ୍ୟ ସ୍ଥଳ ଥିବା ଜଣାପଡ଼ିଛି । ସେହିପରି ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ମଧ୍ୟ ଛାଡ଼ ରହିବ । ସୂର୍ଯ୍ୟମନ୍ଦିର ପରିସରରେ ସପ୍ତାହବ୍ୟାପୀ ଐତିହ୍ୟ ଫଟୋ ପ୍ରଦର୍ଶନୀ ଆୟୋଜିତ ହେଉଛି ।