ଦିନିକିଆ ସିରିଜ୍ ଜିତିଲା ଇଂଲଣ୍ଡ: ଦିନିକିଆରେ ବେୟାରଷ୍ଟୋଙ୍କ ୩ ହଜାର ରନ, ରଶିଦଙ୍କ ୧୫୦ ୱିକେଟ

ସାଉଥାମ୍ପଟନ୍,ଏଜେନ୍ସି: ଚଳିତ ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଘରୋଇ ଇଂଲଣ୍ଡ ବିଜୟୀ ହୋଇ ସିରିଜ୍ ହାତେଇନେଇଛି। ଶନିବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ଆୟର୍ଲାଣ୍ଡ ପକ୍ଷରୁ ଦିଆଯାଇଥିବା ୨୧୩ ରନର ବିଜୟ ଲକ୍ଷ୍ୟକୁ ୩୨.୩ ଓଭର୍ରେ ହାସଲ କରି ତୃତୀୟ ତଥା ଚୂଡ଼ାନ୍ତ ଦିନିକିଆକୁ ଅପ୍ରାସଙ୍ଗିକ କରିଦେଇଛି। ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ୯ ୱିକେଟ୍ ବିନିମୟରେ ୨୧୨ ରନ୍ କରିଥିଲା। ଦଳ ପକ୍ଷରୁ ଅଲରାଉଣ୍ଡର୍ କର୍ଟିସ୍ କ୍ୟାମ୍ଫର୍ ୮ଟି ଚୌକା ସହ ୬୮ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୩ ୱିକେଟ୍ ନେଇଥିବା ଆଦିଲ୍ ରଶିଦ୍ ଦିନିକିଆରେ ତାଙ୍କର ୧୫୦ ୱିକେଟ୍ ପୂରଣ କରିଛନ୍ତି। ଏ କ୍ଷେତ୍ରରେ ସେ ଦେଶର ପ୍ରଥମ ସ୍ପିନର୍ ହୋଇଛନ୍ତି। ରଶିଦ୍ ତାଙ୍କ ଦିନିକିଆ କ୍ୟାରିୟର ୧୦୨ତମ ମ୍ୟାଚରେ ଏହି ଉପଲବଧି ହାସଲ କରିବା ସହ ଦେଶର ପଞ୍ଚମ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର୍ ହୋଇଛନ୍ତି। ରଶିଦଙ୍କ ବ୍ୟତୀତ ସାକିବ୍ ମାହମୁଦ୍ ଓ ଡେଭିଡ୍ ୱଲି ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

ଇଂଲଣ୍ଡ ପକ୍ଷରୁ ଇନିଂସ ଆରମ୍ଭ କରିଥିବା ଜେସନ୍ ରୟ ଓ ଜନ୍ନି ବେୟାରଷ୍ଟୋଙ୍କ ମଧ୍ୟରୁ ଖାତା ଖୋଲିବା ପୂର୍ବରୁ ରୟ ଆଉଟ୍ ହୋଇଥିଲେ। କିନ୍ତୁ ବେୟରଷ୍ଟୋ ମାତ୍ର ୨୧ ବଲରେ ଅର୍ଦ୍ଧଶତକ ପୂରଣ କରିବା ସହ ୪୧ ବଲରେ ୮୨ ରନ୍ କରିଥିଲେ। ଇତି ମଧ୍ୟରେ ସେ ଦିନିକିଆରେ ତାଙ୍କର ୩ ହଜାର ରନ୍ ପୂରଣ କରିଥିଲେ। ୭୨ ତମ ଦିନିକିଆରେ ୩ ହଜାର ରନ୍ ପୂରଣ କରି ବେୟାରଷ୍ଟୋ ଯୁଗ୍ମ ଭାବେ ଜୋ ରୁଟଙ୍କ ସହ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି।

ବେୟାରଷ୍ଟୋ ଆଉଟ୍ ହେବା ପରେ ଅଧିନାୟକ ଇଅନ୍ ମୋର୍ଗାନ୍ (୦) ଓ ମୋଇନ୍ ଅଲୀ (୦)ଙ୍କୁ ହରାଇ ଇଂଲଣ୍ଡ ବିପଦରେ ପଡ଼ିଥିଲା। କିନ୍ତୁ ସାମ୍ ବିଲିଙ୍ଗସ ଓ ୱିଲି ସପ୍ତମ ୱିକେଟ୍ ପାଇଁ ଅବିଭାଜିତ ୭୯ ରନ୍ ଯୋଡ଼ି ଟିମକୁ ବିଜୟୀ କରାଇଥିଲେ। ବିଲିଙ୍ଗସ ୬ ଚୌକା ସହ ୪୬ ଏବଂ ୱିଲି ୫ଟି ଚୌକା ଓ ୨ଟି ଛକା ସହ ୪୭ ରନ୍ କରିଥିଲେ। ଆୟର୍ଲାଣ୍ଡ୍ ପକ୍ଷରୁ ଲିଟଲ୍ ୩ଟି ଓ କ୍ୟାମ୍ଫର୍ ୨ଟି ୱିକେଟ୍ ନେଇଥିଲେ। ବେୟାରଷ୍ଟୋ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିବା ବେଳେ ସିରିଜର ତୃତୀୟ ତଥା ଚୂଡ଼ାନ୍ତ ଦିନିକିଆ ଆସନ୍ତା ୪ରେ ଖେଳାଯିବ।