ଲଡର୍ସ,ଏଜେନ୍ସି: ପାକିସ୍ତାନ ବିପକ୍ଷରେ ଜାରି ଥିବା ୩ ଏକ ଦିବସୀୟ ମ୍ୟାଚର ଶୃଙ୍ଖଳାର ୨ୟ ମ୍ୟାଚରେ ଇଂଲଣ୍ଡର ପୁଣି ବିଜୟ ହୋଇଛି। ପାକିସ୍ତାନ ଏହି ମ୍ୟାଚରେ ଇଂଲଣ୍ଡ ଠାରୁ ୫୨ ରନରେ ପରାସ୍ତ ହୋଇଛି। ଇଂଲଣ୍ଡ ପକ୍ଷରୁ ସର୍ବାଧିକ ଫିଲିପ ସଲ୍ଟ (୬୦) ଏବଂ ଜେମ୍ସ ଭିନ୍ସ (୫୬) ରନ୍ କରିଥିଲେ। ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୯ ୱିକେଟରେ ପରାସ୍ତ କରିଥିଲା। ଫଳରେ ଇଂଲଣ୍ଡ ଏହି ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ରହିଛି।
ଇଂଲଣ୍ଡ ଟିମ ଲଡର୍ସ ପଡ଼ିଆରେ ପ୍ରଥମେ ବ୍ୟାଟିଂ କରି ୪୫.୨ ଓଭରରେ ୧୦ଟି ୱିକେଟ ହରାଇ ୨୪୭ ରନ୍ କରିଥିଲେ। ଜବାବରେ ଲକ୍ଷ୍ୟ ପୂରାକରିବାକୁ ଯାଇ ପାକିସ୍ତାନ ୪୧ ଓଭରରେ ସମସ୍ତ ୱିକେଟ ହରାଇ ୧୯୫ ରନରେ ଅଟକିଯାଇଥିଲା। ପାକିସ୍ତାନର ବ୍ୟାଟ୍ସମ୍ୟାନ ଇମାମ-ଉଲ-ହକ ୧ ରନ୍ ସଂଗ୍ରହ କରି ପାଭଲିଅନ ଫେରିଥିଲେ। ଏହା ପରେ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନୀ ଟିମର ଖେଳାଳି କ୍ରମାଗତ ଆଉଟ ହୋଇଥିଲେ। କୌଣସି ଖେଳାଳି ଧୈର୍ଯ୍ୟର ସହିତ ପଡ଼ିଆରେ ବେଶୀ ସମୟ ରହିପାରି ନଥିଲେ।