- ନଟ୍ଟିଂହାମ: ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଘରୋଇ ଇଂଲଣ୍ଡର ବ୍ୟାଟସମ୍ୟାନଙ୍କୁ ଘାଇଲା କରିଛନ୍ତି ଭାରତୀୟ ବୋଲର। ବିଶେଷକରି ପ୍ରଥମ ଦିନର ଚା’ ପାନ ବିରତି ପରେ ନିଜର ଅସଲ ଜଲୱା ଦେଖାଇଛନ୍ତି ଟିମ୍ ଇଣ୍ଡିଆର ଖେଳାଳି। ବରତି ପୂର୍ବରୁ ୪ଟି ୱିକେଟ ହାସଲ କରିଥିବା ବୋଲର ଖୁବକମ ସମୟ ମଧ୍ୟରେ ବାକି ୬ଟି ୱିକେଟ ଦଖଲ କରି ଇଂଲିଶ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।
ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁଁ ଶକ୍ତିଶାଳୀ ବ୍ୟାଟିଂ ଲାଇନଅପ ସହ ମୈଦାନକୁ ଓହ୍ଲାଇଥିବା ଇଂଲଣ୍ଡ ପ୍ରଥମ ଇନିଂସ୍ରେ ୧୮୩ ରନ୍ରେ ଅଲଆଉଟ ହୋଇଯାଇଛି। ଅଧିନାୟକ ଜୋ ରୁଟ୍ ଓ ଶେଷ ଭାଗରେ ସାମ କରନାଙ୍କୁ ଛାଡ଼ିଦେଲେ ଆଉ କୌଣସି ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କୁ ସାମ୍ନା କରିବାକୁ ସକ୍ଷମ ହୋଇନାହାନ୍ତି। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ସର୍ବାଧିକ ୪ଟି ୱିକେଟ ନେଇଥିବାବେଳେ ମହମ୍ମଦ ଶାମି ୩ଟି, ଶାର୍ଦ୍ଦୁଲ ଠାକୁର ୨ ଓ ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଛନ୍ତି। ଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ୫ ଟିକିଆ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍। ଘରୋଇ ଟିମ୍ର ଅଧିନାୟକ ଜୋ ରୁଟ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ଦଳକୁ ପ୍ରଥମ ଓଭରରେ ଝଟକା ଲାଗିଥିଲା। ରୋରୀ ବର୍ନସ ଖାତା ଖୋଲିବା ପୂର୍ବରୁ ବୁମ୍ରାଙ୍କ ବଲରେ ଆଉଟ ହୋଇଥିଲେ। ଜ୍ୟାକ କ୍ରାଉଲୀ ଓ ଡମ ସିବଲେ ଏହାପରେ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୪୨ରେ ପହଞ୍ଚାଇଥିଲେ। କିନ୍ତୁ ମହମ୍ମଦ ସିରାଜ ୨୭ ରନ୍ କରିଥିବା କ୍ରାଉଲୀଙ୍କୁ ଆଉଟ କରି ଘରୋଇ ଟିମ୍କୁ ଦ୍ୱିତୀୟ ଝଟକା ଦେଇଥିଲେ। ସିବଲେ ଅଧିନାୟକ ରୁଟଙ୍କ ସହ ମିଶି ଲଞ୍ଚ ଯାଏଁ ଆଉ ଦଳକୁ କୌଣସି କ୍ଷତି ପହଞ୍ଚାଇବାକୁ ଦେଇନଥିଲେ।