କେନାଲରୁ ଭାଲୁର ମୃତଦେହ ଉଦ୍ଧାର

ପାଟଣା,ଏନ୍ଏନ୍ଏସ୍:କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ପୋଇପାଣି ବିଟ୍ ଦ୍ୱାରିକାପଶି ଗାଁ ନିକଟ କେନାଲରୁ ବନବିଭାଗ ଆଜି ଏକ ଗାଡ଼ଭାଲୁର ମୃତଦେହ ଉଦ୍ଧାର କରିଛି। କେନାଲରେ ଭାଲୁର ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ରେଞ୍ଜ କାର୍ଯ୍ୟାଳୟକୁ ଆଣିଛି। ଗତକାଲି ବିଳମ୍ବିତ ରାତିରେ ଗାଡ଼ଭାଲୁଟି ଗାଁ ମୁହାଁ ହୋଇଥିବାବେଳେ କୁକୁରମାନଙ୍କ ଆକ୍ରମଣର ଶିକାର ହୋଇଥିବାରୁ ତା’ର ମୃତ୍ୟୁ ହୋଇଥିବା ରେଞ୍ଜର ପବିତ୍ର ମୋହନ ନାଏକ କହିଛନ୍ତି। ଅନ୍ୟପଟେ ଜଙ୍ଗଲରେ ନିଆଁ ଲାଗୁଥିବାରୁ ବନ୍ୟଜନ୍ତୁ ଗାଁ ମୁହାଁହୋଇ କୁକୁର ଓ ମଣିଷଙ୍କ ଆକ୍ରମଣର ଶିକାର ହେଉଥିବା କୁହାଯାଉଛି। ବ୍ୟବଚ୍ଛେଦ ପରେ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଗାଡ଼ଭାଲୁକୁ ପୋତାଯିବ ବୋଲି ରେଞ୍ଜର ପବିତ୍ର ମୋହନ ନାଏକ କହିଛନ୍ତି।