କୁପୱାରା ଅଞ୍ଚଳରେ ଗୁଳିବିନିମୟ: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଦୁଇ ଆତଙ୍କୀ

ଶ୍ରୀନଗର,ଏଜେନ୍ସି: ରବିବାର ଜାମ୍ମୁ ଓ କାଶ୍ମୀରର କୁପୱାରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କୀ ନିପାତ ହୋଇଛନ୍ତି । ଏହାକୁ ନେଇ କାଶ୍ମୀର ଜୋନ୍‌ ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଉତ୍ତର କାଶ୍ମୀର ଟେକ୍ରି ନାର୍‌ସ୍ଥିତ ମାଚିଲ୍‌ ଅଞ୍ଚଳରେ ଭାରତୀୟ ସୀମା(ଏଲ୍‌ଓସି) ନିକଟରେ ଏହି ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ଦୁଇ ଜଣ ଆତଙ୍କୀ ଭାରତୀୟ ସୀମା ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ତେବେ ଭାରତୀୟ ସୀମା ଭିତରେ ପ୍ରବେଶ କରିବା ଯୋଜନାକୁ ପଣ୍ଡ କରିବା ସହ ଏନ୍‌କାଉଣ୍ଟର କରିଛନ୍ତି ପୁଲିସ ଓ ସୀମା ସୁରକ୍ଷା ସୁରକ୍ଷାବଳ ।

ଏହାକୁ ନେଇ କାଶ୍ମୀର ଜୋନ୍‌ ପୁଲିସ ପକ୍ଷରୁ କୁହାଯାଇଛି, “ଆର୍ମୀ ଓ ପୁଲିସ ମିଳିତ ଭାବରେ ଅପରେସନ କରି କ୍ରି ନାର୍‌ସ୍ଥିତ ମାଚିଲ୍‌ ଅଞ୍ଚଳରେ ଭାରତୀୟ ସୀମା(ଏଲ୍‌ଓସି) ନିକଟରେ ଦୁଇଜଣ ଆତଙ୍କବାଦୀଙ୍କୁ ଟଳାଇଛନ୍ତି । ନିପାତ ହୋଇଥିବା ଦୁଇ ଆତଙ୍କୀଙ୍କ ପରିଚୟ ସ୍ପଷ୍ଟ ହୋଇନି । ସେମାନଙ୍କ ନିକଟରୁ ଦୁଇଟି ଏକେ ୪୭ ରାଇଫଲ, ଦୁଇଟି ପିସ୍ତଲ, ୪ଟି ହ୍ୟାଣ୍ଡ ଗ୍ରେନେଡ୍‌ ଜବତ ହୋଇଛି ।”

ଗତ ୧୦ ଦିନ ପୂର୍ବେ ଶ୍ରୀନଗରର ନୌଗାମ ଅଞ୍ଚଳରେ ମଧ୍ୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଫଳରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ଗତ ଶନିବାର ପୁଲୱାମାର ରତ୍ନୀପୁରାରେ ଆତଙ୍କୀ ଦୁଇଜଣ ଶ୍ରମିକଙ୍କ ଉପରକୁ ଗୁଳି ଚଳାଇଥିଲେ । ଆହତ ଶ୍ରମିକଙ୍କୁ ଜାମ୍ମୁ ଓ କାଶ୍ମୀରର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ।