ବାଂଲାଦେଶରେ ଯାତ୍ରୀବାହୀ ଡଙ୍ଗାବୁଡ଼ି ୨୩ ଜଣ ଯାତ୍ରୀଙ୍କ ମୃତ୍ୟୁ

ହାଇଦ୍ରାବାଦ,ଏଜେନ୍ସି: ବାଂଲାଦେଶରେ ଏକ ଯାତ୍ରୀବାହୀ ଡଙ୍ଗାବୁଡ଼ି ୨୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ ଏହି ଯାତ୍ରୀବାହୀ ଡଙ୍ଗାରେ ପ୍ରାୟ ୭୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ତେବେ ରବିବାର କୌଣସି କାରଣରୁ ଡଙ୍ଗାଟି ନଦୀ ଗର୍ଭରେ ବୁଡ଼ି ଯାଇଥିଲା । ଫଲରେ ଅଧିକାଂଶ ଯାତ୍ରୀ ନିଖୋଜ ରହିଥିଲେ । ଖବର ମିଳିବା ପରେ ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ ହୋଇଥିଲା ।

ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ମଧ୍ୟରେ ଛୋଟପିଲା ଓ ମହିଳା ସାମିଲ ରହିଛନ୍ତି । ଉଦ୍ଧାରକାରୀ ଦଳ ପକ୍ଷରୁ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାଂଲାଦେଶର ଉତ୍ତର ପଞ୍ଚଗଡ଼ ଜିଲ୍ଲାରେ ଏହି ଅଘଟଣ ଘଟିଛି । ଏହାକୁ ନେଇ ସେଠାକାର ଜିଲ୍ଲାପାଳ ଜହୁରୁଲ୍‌ ଇସ୍‌ଲାମ କହିଛନ୍ତି, “ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ରେସ୍କ୍ୟୁ ଅପରେସନ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା କେତେ ଜଣ ନିଖୋଜ ରହିଛନ୍ତି ସେହି ସଂଖ୍ୟା ସ୍ପଷ୍ଟ ହୋଇପାରିନାହିଁ । ବୁଡ଼ି ଯାଇଥିବା ଡଙ୍ଗାରେ ପ୍ରାୟ ୭୦ ଜଣ ଯାତ୍ରା କରୁଥିଲେ ବୋଲି ପ୍ରାଥମିକ ସୂଚନା ରହିଛି ।”

ବାଂଲାଦେଶରେ ପ୍ରତିବର୍ଷ ଡଙ୍ଗା ଦୁର୍ଘଟଣାରେ ଶତାଧିକ ଲୋକଙ୍କ ମୃତ୍ୟୁ ହେଉଛି । ଏକ ତଳିଆ ଦେଶ ହୋଇଥିବା ବେଳେ ଏଠାରେ ଅନେକ ସ୍ଥାନକୁ ଯୋଡ଼ୁଥିବା ଜଳ ମାର୍ଗ ରହିଛି । କିନ୍ତୁ ଏହି ଜଳମାର୍ଗରେ ଡଙ୍ଗା ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ । ଫଳରେ ଅଧିକାଂଶ ମୋଟର ବୋଟ୍‌ ବା ସ୍ପିଡ୍‌ ବୋଟ୍‌ ଦୁର୍ଘଟଣାର ଶିକାର ହେଉଥିବା ନଜିର ରହିଛି ।

ଗତ ମେ ମାସରେ ଏକ ସ୍ପିଡ୍‌ ବୋଟ୍‌ ଆବଶ୍ୟକଠାରୁ ଅଧିକ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା । ଏହି ସମୟରେ ପଦ୍ମ ନଦୀ ଗର୍ଭରେ ଏକ ବାଲି ବୋଝେଇ ଡଙ୍ଗା ସହ ଧକ୍କା ହୋଇଥିଲା । ଫଳରେ ୨୬ ଜଣଙ୍କ ପ୍ରାଣହାନୀ ହୋଇଥିଲା । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ସୁଦ୍ଧା ଏଥିପ୍ରତି ଧ୍ୟାନ ଦିଆଯାଉନଥିବା ଅଭିଯୋଗ ହେଉଛି ।