ମନ କି ବାତ କାର୍ଯ୍ୟକ୍ରମ: ଶହୀଦ ଭବଗତ ସିଂଙ୍କ ନାମରେ ନାମିତ ହେବ ଚଣ୍ଡିଗଡ ବିମାନ ବନ୍ଦର

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ସ୍ବାଧୀନତା ସଂଗ୍ରାମର ମହାନ କ୍ରାନ୍ତିବୀର ଶହୀଦ ଭଗତ ସିଂଙ୍କ ନାମରେ ନାମିତ ହେବ ଚଣ୍ଡିଗଡ ବିମାନ ବନ୍ଦର । ଆଜି ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ କି ବାତ’ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ନାମକରଣ ନିଷ୍ପତ୍ତି ଏହି ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ହେବ ।

ଆଜି ୯୩ ତମ ‘ମନ କି ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଅଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଆଜି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନିଜ ସମ୍ବୋଧନରେ ସ୍ଥାନ ଦେଇଛନ୍ତି । ନିକଟରେ ତାଙ୍କ ଜନ୍ମଦିନରେ ସେ ନାମ୍ବିଆରୁ ଆସିଥିବା ୮ଟି ଆଫ୍ରିକୀୟ ଚିତାଙ୍କୁ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ଦୀର୍ଘ ବର୍ଷ ପରେ ଚିତା ଭାରତକୁ ଆସିବା ପରେ ସମଗ୍ର ଦେଶରେ ଖୁସିର ଲହରି ଦେଖିବାକୁ ମିଳିଥିବା ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ । ସମସ୍ତ ଦେଶବାସୀ ଚିତାଙ୍କ ପାଇଁ ଗର୍ବ ଅନୁଭବ କରୁଥିବା ବେଳେ ଏମାନଙ୍କ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଟାକ୍ସଫୋର୍ସ ଗଠନ ହୋଇଛି । ଏହି ଚାକ୍ସଫୋର୍ସ ଏହି ଚିତାଙ୍କର ନୀରିକ୍ଷଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସେହିପରି ବର୍ତ୍ତମାନ ସମୟରେ ପାରା ସ୍ପୋର୍ଟରେ ଭାରତ ପ୍ରଦର୍ଶନକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ନିକଟରେ ଆୟୋଜିତ ଏକାଧିକ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପାରା ଆଥଲେଟମାନେ ଉଚ୍ଚକୋଟିର ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନର ଯୁବପିଢି ମଧ୍ୟରେ ଫିଟନେସ କଲଚରକୁ ନେଇ ମଧ୍ୟ ସଚେତନତା ଓ ଆଗ୍ରହ ବୃଦ୍ଧି ପାଇଛି । ଗ୍ରାଉଣ୍ଡରେ କାର୍ଯ୍ୟ କରୁଥିବା ଅନେକ ଲୋକ ସେମାନଙ୍କୁ ଏହି ଦିଗରେ ଉତ୍ସାହିତ କରିବାରେ ସହୟକ ହେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ନିଜ ସମ୍ବୋଧନରେ ପରିବେଶ, ଏହାର ସୁରକ୍ଷା ଓ ସାମ୍ପ୍ରତିକ ଆହ୍ବାନକୁ ମଧ୍ୟ ଉଲ୍ଲେଖ କିରଛନ୍ତି ପ୍ରଧାନମନ୍ତ୍ରୀ । ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ସାମୁଦ୍ରିକ ପରିସଂସ୍ଥା ପ୍ରତି ସବୁଠୁ ବଡ ଆହ୍ବାନ ସୃଷ୍ଟି କରିବାରେ ଲାଗିଛି । ଏହି ଆହ୍ବାନର ସଫଳତାପୂର୍ବକ ମୁକାବିଲା ପାଇଁ ଆମକୁ ତତ୍ପର ଓ ପ୍ରସ୍ତୁତ ରହିବାକୁ ପଡିବ । ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ବିଚାରକୁ ନେଇ ଉତ୍ତରଦାୟିତ୍ବର ସହ କାର୍ଯ୍ୟ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ଦିବ୍ୟାଙ୍ଗଙ୍କ ପାଇଁ ସାଙ୍କେତିକ ଭାଷାର ଉପାଦେୟତା ଓ ଦେଶରେ ଏହାର କ୍ରମବିକାଶଃ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ବିଗତ ବର୍ଷ ଗୁଡିକରେ ପୂର୍ବରୁ ସେପରି କିଛି ବିଶେଷ ବ୍ୟବସ୍ଥା ବା ଭିତ୍ତିଭୂମି ନଥିଲା । ୨୦୧୫ରେ ଭାରତୀୟ ସାଙ୍କେତିକ ଭାଷା ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିଥିଲେ ସରକାର । ସେବେ ଠାରୁ ଏହି କ୍ଷେତ୍ରରେ ଆଖିଦୃଶିଆ ସଫଳତା ମିଳିଛି । ଭିନ୍ନକ୍ଷମ ଛାତ୍ରଛାତ୍ରୀ ଏହି ପ୍ରଣାଳୀରେ ଅଧ୍ୟୟନ କରି ଯୋଗାଯୋଗ ଓ ଦୈନଦିନ ଜୀବନଶୈଳୀରେ ଆତ୍ମନିର୍ଭର ହେବାରେ ଲାଗିଛନ୍ତି । ଏହି ସଫଳତାର କାହାଣୀ ପାଇଁ ପ୍ରଧାନମନ୍ତ୍ରୀ ଜଣେ ଶାରିରୀକ ଭିନ୍ନକ୍ଷମ ଛାତ୍ରୀଙ୍କର ସଫଳତାର କାହାଣୀ ମଧ୍ୟ ଉଦାହରଣ ଦେଇଥିଲେ ।