ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମାନଙ୍କ ଭିତରେ ଗୁଳିବିନିମୟ: ୨୪ ଘଣ୍ଟାରେ ୭ ଆତଙ୍କବାଦୀ ନିପାତ

ଶ୍ରୀନଗର,ଏଜେନ୍ସି: ଜାମ୍ମୁ-କାଶ୍ମିରରେ ଚାଲିଥିବା ଅତଙ୍କବାଦ ବିରୋଧି ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା। ଗଲା ୨୪ ଘଣ୍ଟା ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ୭ ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଏଥିରେ ବୁରୁହାନ ୱାନୀର ସମ୍ପର୍କୀୟ ଭାଇର ମଧ୍ୟ ମୃତ୍ୟୁ ଘଟିଛି। ତେବେ ଏବେ ବି କେତେଗୁଡିଏ ସ୍ଥାନରେ ସର୍ଚ୍ଚ ଅପରେସନ ଚାଲିଥିବାରୁ ବିଭିନ୍ନ ଜାଗାରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି।

ତ୍ରାଲ ଓ ଶୋପିଆନରେ ଚାଲିଥିବା ଭିନ୍ନ ଭିନ୍ନ ଏନକାଉଣ୍ଟରରେ ୭ ଜଣ ଅତଙ୍କବାଦୀଙ୍କୁ ନିପାତ କରାଯାଇଛି। ତ୍ରାଲର ନୌବୁଗା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ସେମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଅତଙ୍କବାଦୀ ମାନେ ସେମାନଙ୍କ ଉପରକୁ ଗୁଳିମାଡ କରିଥିଲେ। ଏହାର ପାଲଟା ଯବାବ ଦିଆଯାଇଥିଲା।

ଏବେବି ସୁଦ୍ଧା ସେଠାରେ କିଛି ଅତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ସୁରକ୍ଷାକର୍ମୀଙ୍କ ତରଫରୁ ସର୍ଚ୍ଚ ଅପରେସନ ଜାରି ରହିଛି।