ଜମ୍ମୁ କଶ୍ମୀର: ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟରରେ ଜଣେ ଯବାନ ସହିଦ, ଓଡ଼ିଆ ଯବାନଙ୍କ ସମେତ ୪ ଆହତ

ନୂଆଦିଲ୍ଲୀ,ଏଜେନ୍ସି: ଜମ୍ମୁରେ ଶୁକ୍ରବାର ଭୋର ସକାଳୁ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏନକାଉଣ୍ଟର ସମୟରେ ସୁରକ୍ଷାବାହିନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ୨ ଜଣ ଆତଙ୍କବାଦୀଙ୍କୁ ଘେରିଛନ୍ତି। ଆତଙ୍କବାଦୀଙ୍କର ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି। ଅନ୍ୟ ୪ ଜଣ ଯବାନ ଆହତ ହୋଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଓ ସିଆରପିଏଫ ଯବାନଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ବା ଗସ୍ତ ପୂର୍ବରୁ ଆତଙ୍କବାଦୀମାନେ ବଡ଼ଧରଣର ଆକ୍ରମଣ କରିଛନ୍ତି।

ଜାତୀୟ ଗଣମାଧ୍ୟମ ସଂସ୍ଥର ରିପୋର୍ଟ ଅନୁସାରେ ଜମ୍ମୁର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ମୁକେଶ ସିଂହ କହିଛନ୍ତି ଯେ, ଏନକାଉଣ୍ଟର ସେହି ସମୟରେ ଆରମ୍ଭ ହୋଇଥିଲା, ଯେତେବେଳେ ପୁଲିସ ଓ ଯବାନମାନେ ତଲାସୀ ଅଭିଯାନ କରିଥିଲେ। ସେ କହିଛନ୍ତି ଯେ, ଏନକାଉଣ୍ଟରରେ ସୁରକ୍ଷାବାହିନୀର ଜଣେ ଯବାନ ସହିଦ ହୋଇଛନ୍ତି। ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ଏନକାଉଣ୍ଟର ଜାରି ରହିଛି। ସହିଦ ଯବାନ ହେଲେ ସିଆରପିଏଫର ଏଏସଆଇ ଏସ୍‌ପି ପଟେଲ। ପୁଲିସ ହେଡ୍ କନଷ୍ଟେବଳ କାଠୁଆର ବଳରାଜ ସିଂହ, ଅଖନୁରର ଏସପିଓ ସାହିଲ ଶର୍ମା, ଓଡ଼ିଶାର ସିଆଇଏସ୍‌ଏଫ ପ୍ରମୋଦ ପାତ୍ର ଓ ଆସାମର ଅମିର ସୋରେନ ସାମିଲ ଅଛନ୍ତି।

ପାକିସ୍ତାନସ୍ଥିତ ଜୈଶ-ଏ-ମହମ୍ମଦ (ଜେଇଏମ୍‌) ସଂଗଠନର ଅତିକମରେ ୨ ଜଣ ଆତଙ୍କବାଦୀଙ୍କ ଉପସ୍ଥିତି ସଂପର୍କରେ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା। ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଥିଲେ। ଏହା ପରେ ଗୁଳିମାଡ଼ କରିଥିଲେ। ସୁରକ୍ଷାବାହିନୀ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନ ନେଇଥିଲେ।