ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର: ଲସ୍କର-ଏ-ତଏବାର ଜଣେ ଶୀର୍ଷ କମାଣ୍ଡର ସମେତ ୩ ଜଣ ସଦସ୍ୟ ନିହତ

ଶ୍ରୀନଗର,ଏଜେନ୍ସି: ଜାମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀର ଯବାନମାନେ ଏକକାଳୀନ ୨ଟି ସ୍ଥାନରେ ଏନକାଉଣ୍ଟର କରି ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତଏବାର ଜଣେ ଶୀର୍ଷ କମାଣ୍ଡର ସମେତ ୩ ଜଣ ସଦସ୍ୟଙ୍କୁ ନିହତ କରିଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁସାରେ ଶୋପିଆଁରେ ଲସ୍କର-ଏ-ତଏବାର କମାଣ୍ଡର ନାସୀରୁଦ୍ଦିନ ଲୋନ ଓ ପୁପୱାଡାରେ ୨ ଜଣ ଆତଙ୍କବାଦୀ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଲୋନ ଚଳିତ ବର୍ଷ ଆରମ୍ଭରୁ ସିଆରପିଏଫର ୬ ଜଣ ଯବାନଙ୍କ ଜୀବନ ନେବାରେ ସାମିଲ ଥିଲା।

ପୁଲିସ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଶୋପିଆଁର ଚିତ୍ରଗାମ ଗାଁରେ ଆତଙ୍କବାଦୀମାନେ ଲୁଚି ରହିଥିବା ତାଙ୍କୁ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ପରେ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ କର୍ଡନ କରି ତଲାସି ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାର ପ୍ରତିଉତ୍ତରରେ ସୁରକ୍ଷାବାହିନୀ ମଧ୍ୟ ଗୁଳିଚାଳନା କରିଥିଲେ। ଏଥିରେ ଲସ୍କର-ଏ-ତଏବାର କମାଣ୍ଡର ନାସୀରୁଦ୍ଦିନ ଲୋନ ନିହତ ହୋଇଛି। ଏହି ସମୟରେ ସେଠାରୁ ଏକ ପିସ୍ତଲ, ୬ଟି ଗୁଳି, ଏକ ୟୁବିଡିଜିଏଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ସେହିପରି ପୁଲିସ ଗୁଳିରେ ପୁପୱାଡାରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି।