ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଏନେଇ ମୌସୁମୀ ଆହୁରି ସକ୍ରିୟ ହୋଇଛି। ଏହି ପରିପ୍ରେକ୍ଷୀରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୨୩ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି।
ଏଥିରେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, ବୌଦ୍ଧ, ଜଗତସିଂହପୁର, କଟକ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ଖୋର୍ଦ୍ଧା, ନୟାଗଡ଼, ପୁରୀ, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ରାୟଗଡ଼, ଗଜପତି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର, ସୋନପୁର ଓ ଦେବଗଡ଼ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।
ସେହିପରି ଆଜି ବଙ୍ଗୋପସାଗରରେ ଦ୍ୱିତୀୟ ଲଘୁଚାପ ସୃଷ୍ଟି ହୋଇଛି। ଫଳରେ ଆସନ୍ତା ୨୩ ତାରିଖରେ ଆଉଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ତେଣୁ ତଳିଆ ଅଞ୍ଚଳରେ ପାଣି ଜମିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।