ନୂଆଦିଲ୍ଲୀ,ଏଜେନ୍ସି: ବେକାବୁ ହେଉଛି କରୋନା ସଂକ୍ରମଣ। ପୁଣି ବୃଦ୍ଧି ହେବାରେ ଲାଗିଲାଣି ସଂକ୍ରମଣ। ନ୍ୟୁୟର୍କରେ କରୋନା ବ୍ୟାପିବା ପରେ ଚିନ୍ତା ବଢିବାରେ ଲାଗିଲାଣି। ସ୍ଥିତିକୁ ଦେଖି ସ୍ଥାନୀୟ ଗଭର୍ଣ୍ଣର ବିପର୍ଯ୍ୟୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ସଂକ୍ରମଣ ବୃଦ୍ଧି ହେବା ସହ ହସ୍ପିଟାଲରେ ମଧ୍ୟ ଅଧିକ ସଂଖ୍ୟାରେ ରୋଗୀ ଭର୍ତ୍ତି ହେଉଛନ୍ତି। ଏହାକୁ ନଜରରେ ରଖି ଗଭର୍ଣ୍ଣର ଏଭଳି ନିଷ୍ପତ୍ତି ନେଇଛନ୍ତି।
ନ୍ୟୁୟର୍କ ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ଅନୁସାରେ, ରାଜ୍ୟରେ ବିପଦ ଜନକ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଭାବିତଙ୍କ ପାଇଁ ସରକାର ନେଉଥିବା ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ। ୨୦୨୨ ଜାନୁଆରୀ ୧୫ ତାରିଖ ଯାଏଁ ସାରା ରାଜ୍ୟରେ ଜରୁରୀକାଳୀନ ସ୍ଥିତି ଜାରି କରାଯାଉଛି।
ସୂଚନା ଅନୁସାରେ, ନ୍ୟୁୟର୍କରେ କରୋନା ସ୍ଥିତି ବେକାବୁ ହୋଇଛି। ଗତ ୨୪ ଘଣ୍ଟାରେ ସେଠାରେ ୫୭୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ସୁଦ୍ଧା ୫୮ ହଜାରରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଲାଣି। ଏବେ ବି ୪ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି। ମାତ୍ର ମଝିରେ ସ୍ଥିତି ଏପରି ଗୋଟିଏ ସମୟ ଥିଲା ଯେତେବେଳେ ସ୍ଥିତି ନିୟନ୍ତ୍ରଣରେ ଥିଲା। ଏବେ କିନ୍ତୁ ସ୍ଥିତି ଓଲଟା ଦେଖିବାକୁ ମିଳିଛି।