ଗାଁକୁ ପଶିଲା ଦନ୍ତା ହାତୀ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା କୁପାରୀ ଫରେଷ୍ଟ ଅଧୀନ ବର୍ତ୍ତନା ଗାଁକୁ ପଶିଲା ଦନ୍ତା ହାତୀ। ଆଜି ଭୋର ସମୟରେ ବର୍ତ୍ତନା ଗାଁକୁ ଏକ ଦନ୍ତା ହାତୀ ପଶିଆସି ଗର୍ଜନ କରିଥିଲା। ଗ୍ରାମବାସୀମାନେ ଭୟଭୀତ ହୋଇ ବନବିଭାଗକୁ ଖବର ଦେଇଥିଲେ। ଖବରପାଇ ଔପଦା ରେଞ୍ଜର ବବିତା ସରେନଙ୍କ ନିର୍ଦ୍ଦେଶକ୍ରମେ କୁପାରୀ ବନବିଭାଗର ଏକ ଟିମ୍ ହାତୀଟିକୁ ଘଉଡ଼ାଇ କେନ୍ଦୁଝର ଜିଲ୍ଲାର ମହୁଲପଙ୍କ ଜଙ୍ଗଲରେ ଛାଡ଼ିଥିବା ବନବିଭାଗ ସୂଚନା ଦେଇଛି।

ବନବିଭାଗର ସୂଚନା ଅନୁଯାୟୀ ଏହି ଦନ୍ତା ହାତୀଟି ଗତକାଲି ଭଦ୍ରକ ଗଣିଜାଙ୍ଗ ଗାଁକୁ ପଶିଥିଲା। ସେଠାରୁ ହାତୀଟିକୁ ଘଉଡ଼ାଇବାରୁ ସେ ଆଜି ବର୍ତ୍ତନା ଗାଁକୁ ପଶିଆସିଥିଲା। କୁପାରୀ ଫରେଷ୍ଟର ସୌମ୍ୟରଞ୍ଜନ ମାଝୀଙ୍କ ସମେତ କର୍ମଚାରୀ ସଞ୍ଜୟ କୁମାର ମହାନ୍ତି, ବାଦଲ କୁମାର ଜେନା, ଆଲିଆସ କୁମାର ଜେନା, ସୁରେନ୍ଦ୍ର ବେହେରା ପ୍ରମୁଖ ହାତୀ ଘଉଡ଼ାଇବାରେ ନିୟୋଜିତ ହୋଇଥିଲେ।