ହାତୀ ଉଜାଡ଼ି ଦେଲା ଫସଲ, ଚିନ୍ତାରେ ଚାଷୀ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ବନଖଣ୍ଡ ବାରକୋଟ ରେଞ୍ଜ ଅନ୍ତର୍ଗତ ବଳମ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଛୁରିଆବାହାଲ ଗ୍ରାମ କଟେଇସାହିରେ ଗତ କିଛିଦିନ ଧରି ହାତୀ ଓ ବାରହାଙ୍କ ପ୍ରାର୍ଦୁଭାବ ବଢ଼ି ଚାଲିଛି । ଗତକାଲି ବିଳମ୍ବିତ ରାତିରେ ୧୫/୧୭ ଟିକିଆ ଏକ ହାତୀ ପଲ ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ଫସଲ ହାନୀ କରିଥିବା ଜଣାପଡ଼ିଛି । ଗ୍ରାମର ଫ୍ଲୋରେନ୍ସ ଟିଗା, ଜୁଏଲ ବାର୍ଲା, ବିନୋଦ କିସ୍ପଟା ଓ ମାରିଆନୁଷ ବାର୍ଲାଙ୍କ ସମେତ ଅନେକ ଚାଷୀ ନିଜ ଚାଷ ଜମିରେ ପାଚିଲା ଧାନ କାଟି ବିଡ଼ା ବାନ୍ଧିବା ପାଇଁ ରଖିଥିବାବେଳେ ଗତକାଲି ବିଳମ୍ବିତ ରାତିରେ ହାତୀପଲ ଧାନ ସବୁ ଖାଇବା ସହ ମାଡ଼ି ଦଳି ନଷ୍ଟ କରି ଦେଇଛନ୍ତି । ଫଳରେ ଫସଲ ଋଣ ପରିଶୋଧ ନେଇ ଉପୋରକ୍ତ ଚାଷୀ ଚିନ୍ତାରେ ପଡ଼ିଛନ୍ତି । ସେଥିପାଇଁ ଚାଷୀମାନେ କ୍ଷତିପୂରଣ ଦାବୀ କରିଛନ୍ତି । ଅନ୍ୟପଟେ ବନ ବିଭାଗ ପକ୍ଷରୁ ହାତୀଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି ଏବଂ କ୍ଷୟକ୍ଷତିର ସଠିକ ଆକଳନ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଦେବଗଡ଼ ବନଖଣ୍ଡ ଅଧିକାରୀ ମଗର ଧନାଜି ରାଓସ ପ୍ରକାଶ କରିଛନ୍ତି ।