ଦନ୍ତା ଭାଙ୍ଗିଲା ୪ ଘର, ଆତଙ୍କିତ ଗ୍ରାମବାସୀ

ଦେବଗଡ଼, ଏନ୍ଏନ୍ଏସ୍: ବାରକୋଟ ବ୍ଲକ ଦନ୍ତାରି ବାହାଲ ପଞ୍ଚାୟତ ମକରଡ଼ୁମା ଗ୍ରାମରେ ଦନ୍ତା ହାତୀ ୫ଟି ପରିବାରର ଘର ଭାଙ୍ଗି ଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ଏକ ବୟସ୍କ ଦନ୍ତାହାତୀ ମକରଡ଼ୁମା ଗ୍ରାମକୁ ପଶିଆସି ଅନେକଙ୍କ ଫସଲ ନଷ୍ଟ କରିବା ସହ ଉକ୍ତ ଗ୍ରାମର ପରମାନନ୍ଦ ଭୋଇ, ବାଇଧର ମାଝୀ, ଶଙ୍କର୍ଷଣ ନାୟକ ଓ ତରଣୀ ନାୟକଙ୍କ ଛପର ଓ ଆଜବେଷ୍ଟ ଘର ଭାଙ୍ଗି ଦେଇଥିଲା। ଦନ୍ତାର ଉଗ୍ରରୂପ ଦେଖି ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଥିବାବେଳେ ଘର ଭାଙ୍ଗି ଯାଇଥିବାରୁ କ୍ଷତିଗ୍ରସ୍ତ ପରିବାର ଶୀତ କାକରରେ ରାତି କାଟିଥିଲେ। ସୂଚନାପାଇ ଆଜି ବନବିଭାଗ କର୍ମଚାରୀ ହାତୀ ଘଉଡ଼ାଇବା ପାଇଁ ପ୍ରୟାସ ଜାରି ରଖିଥିବା ଜଣାପଡିଛି।