ବେଆଇନ ମଦ ବେପାରକୁ ନେଇ ଗଣ୍ଡଗୋଳ

ବାରିପଦା,ଏନ୍ଏନ୍ଏସ୍: ବାରିପଦା ଟାଉନ ଥାନା ବିଜୟରାମଚନ୍ଦ୍ରପୁର ନୂଆସାହି ଅଞ୍ଚଳରେ ଦିର୍ଘଦିନ ଧରି ଚାଲିଥିବା ବେଆଇନ ଦେଶୀ ଏବଂ ବିଦେଶୀ ମଦ ବିକ୍ରିକୁ ନେଇ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଏନେଇ ସାହିର କିଛି ମହିଳାଙ୍କ ସମେତ ସ୍ଥାନୀୟ ବାସିନ୍ଦା ବାରିପଦା ଅବକାରୀ ବିଭାଗ ସମେତ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ଅବକାରୀ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଏହାପରେ ସାହିରେ ଉତ୍ତେଜନା ପ୍ରକାଶ ପାଇଥିଲା। ମଦ ବିରୋଧରେ ଅଭିଯୋଗ କରିଥିବା ଜନୈକା ମହିଳା ଘରେ ଏକା ଥିବାର ସୁଯୋଗ ନେଇ ଜଣେ ମଦ ବ୍ୟବସାୟୀ ସମେତ ଅନ୍ୟ କିଛି ବେଆଇନ ମଦ ବେପାରୀ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି।