ଖୁଲୁଣ୍ଡି କୁଦର ଜଙ୍ଗଲରୁ ସନ୍ଦେହଜନକ ଅବସ୍ଥାରେ ଗଜରାଜର ମୃତଦେହ ଉଦ୍ଧାର

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ବନ୍ୟପ୍ରାଣୀ ତସ୍କରଙ୍କ ପୁଣି ଏକ କାରନାମା। ବାରକୋଟ ଫରେଷ୍ଟ ସେକ୍ସନ ଆନ୍ତର୍ଗତ ଗୁରୁଜାଙ୍ଗ ଜଙ୍ଗଲରୁ ଦନ୍ତା ହାତୀର ମୃତ ଦେହ ଉଦ୍ଧାର। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଓ ଦେବଗଡ଼ ଜିଲ୍ଲା ସୀମାବର୍ତ୍ତୀ ଖୁଲୁଣ୍ଡିକୁଦର ଜଙ୍ଗଲରେ ଘଟିଛି ଘଟଣା।

ସୂଚନା ପାଇ ଦେବଗଡ଼ ବନଖଣ୍ଡ ଅଧିକାରୀ ମଗର ଧନାଜୀ ରାଓସୋ ବନବିଭାଗ ଅଧିକାରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମୃତ ଗଜରାଜର ମୃତ ଦେହ ବ୍ୟବଛେଦ କରା ଯାଇଛି। ତେବେ ପ୍ରାଥମିକ ତଦନ୍ତ ରେ ହାତୀକୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରମାଣ ମିଳିନାହିଁ କିମ୍ୱା ହାତୀ ଶରୀରରେ କୌଣସି କ୍ଷତନଥିବା ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ଦେବଗଡ଼ ଡିଏଫଓ ଶ୍ରୀ ରାଓସୋ ସୂଚନା ଦେଇଛନ୍ତି।

ଦେବଗଡ଼ ଜିଲ୍ଲାରେ ଗତ କିଛିମାସ ଧରି ବନବିଭାଗ, ଜିଲ୍ଲା ପୁଲିସ ଓ ଏସ୍‌ଟିଫ୍‌ ଜିଲ୍ଲାର ବିଭିନ୍ନ ଫରେଷ୍ଟ ରେଞ୍ଜ ଅଞ୍ଚଳରୁ ବାଘ ଛାଲ, ହାତୀ ଦାନ୍ତ, ବଜ୍ର କାପ୍ତା ଓ ସାପ ବିଷ ଆଦି ଜବତ କରିବା ସହ ଏକାଧିକ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ମଧ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତସ୍କରଙ୍କ ଦ୍ୱାରା ଜନ୍ତୁ ଶିକାର ଜାରି ରହିଛି। ଫଳରେ ଏହା ବନ୍ୟ ପ୍ରାଣୀ ପ୍ରେମୀଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଉଥିବାବେଳେ ବନବିଭାଗର ମୁଣ୍ଡ ବିନ୍ଧା ସାଜିଛି। ଦେବଗଡ଼ ବନଖଣ୍ଡରେ କର୍ମଚାରୀ ଅଭାବ ସହ କର୍ମଚାରୀଙ୍କୁ ଅତ୍ୟାଧୁନିକ ତାଲିମର ଅଭାବର ସୁଯୋଗ ନେଇ ଅଞ୍ଚଳରେ ତସ୍କରମାନେ ସେମାନଙ୍କ କାୟା ବିସ୍ତାର କରୁଥିବା ମତପ୍ରକାଶ ପାଇଛି।