ହାତୀ ନେଇଗଲା ମହିଳାଙ୍କ ଜୀବନ

ବାରିପଦା,ଏନ୍ଏନ୍ଏସ୍  : ମୟୁରଭଞ୍ଜର ଜିଲ୍ଲା ବେତନଟୀ ବ୍ଲକର ବୈଶିଙ୍ଗା ଥାନା ଅଧୀନ କୁସୁମପୁରାରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ସ୍ୱର୍ଗତ ରାମ ମାରାଣ୍ଡିଙ୍କ ପତ୍ନୀ ସୀତା ମାରାଣ୍ଡି ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ,ବୁଧବାର ସକାଳେ ସୀତା ମାରାଣ୍ଡି ଘରେ ଏକା ଥିବା ସମୟରେ ଝାଡଖଣ୍ଡି ହାତୀପଲ ଗ୍ରାମ ଭିତରକୁ ପଶି ଆସିଥିଲେ ଏବଂ ସୀତା ମାରାଣ୍ଡିଙ୍କ ଘରର ଚାଳରୁ ନଡା ବାହାର କରିବାକୁ ଲାଗିଥିଲେ। କ’ଣ ଶବ୍ଦ ହେଉଛି ବୋଲି ଭାବି ସୀତା ମାରାଣ୍ଡି ବାହାରକୁ ଚାଲି ଆସିଥିଲା ବେଳେ ହାତୀପଲଙ୍କ ହାବୁଡରେ ପଡ଼ି ଯାଇଥିଲେ। ସେ ଯେତେ ଚେଷ୍ଟା କରିଥିଲେ ହେଁ ହାତୀପଲଙ୍କ କବଳରୁ ମୁକୁଳି ପାରି ନଥିଲେ।

ଏଥିମଧ୍ୟରୁ ଗୋଟିଏ ହାତୀ ତାଙ୍କୁ ସେଠାରୁ ଶୁଣ୍ଢରେ ଉଠାଇ ନେଇ ୧୦୦ ମିଟର ଦୂରରେ କଚାଡି ଦେଇଥିଲା। ଗ୍ରାମବାସୀ ଗୁରୁତର ଅବସ୍ଥାରେ ସୀତା ମାରାଣ୍ଡିଙ୍କୁ ସେଠାରୁ ଉଦ୍ଧାର କରି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସୀତା ମାରାଣ୍ଡିଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହି ହାତୀପଲ ମୋରଡ଼ାର ଜାମୁକୋଳି ଗ୍ରାମରେ ପଶି ଅନେକ ଘର ଓ ଫସଲ ନଷ୍ଟ କରି ଦେଇଥିବା ସୂଚନା ମିଳିଛି ।