ବରଗଡ଼, ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ଗଣ୍ଡତୁରୁମ ଗ୍ରାମରେ ହାତୀ ଉପଦ୍ରବ ଯୋଗୁଁ ଜନସାଧାରଣ ଅତିଷ୍ଠ ହୋଇପଡିଛନ୍ତି । ମଙ୍ଗଳବାର ରାତିରେ ଗାଁକୁ ଏକ ହାତୀପଲ ପଶି ଆସି ଖଳାରେ ଥିବା ବ୍ୟାପକ ଧାନ ନଷ୍ଟ କରିଦେଇଛନ୍ତି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଏଠାରେ ସୂଚନା ଯୋଗ୍ୟ ଯେ, ଭେଡେନ ବ୍ଲକ୍ ଅନ୍ତର୍ଗତ ଗଣ୍ଡତୁରୁମ ଗ୍ରାମକୁ ବିନିକା ରେଞ୍ଜ ରୁ ମହାନଦୀ ପାରି ହୋଇ ବ୍ରାହ୍ମଣତୁରୁମଠାରେ କୂଳ ଲଙ୍ଘିଥିଲେ ହାତୀ ପଲ। ବରଗଡ଼ ରେଞ୍ଜକୁ ଚାଲିଆସିଥିବା ଏହି ହାତୀପଲରେ ୫ଟି ଦନ୍ତା ସମେତ ୨୭ ଟି ହାତୀ ରହିଛନ୍ତି । ହାତୀପଲ ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ଉପଦ୍ରବ କରିବା ସହ ଗଣ୍ଡତୁରୁମ ଗ୍ରାମର ଚନ୍ଦ୍ରଶେଖର ନାଗଙ୍କ ଖଳାରେ ଥିବା ୫ ଏକରରୁ ଅମଳ ହୋଇଥିବା ଧାନ ଖାଇବା ସହ ନଷ୍ଟ କରିଦେଇଛନ୍ତି । ସେହିପରି ଗଣ୍ଡତୁରୁମ ଗ୍ରାମରେ ଉଗ୍ରସେନ ଦଣ୍ଡ ସେନାଙ୍କ ୫ ଏକର, ଗୋଲଖ ମହାରଣାଙ୍କ ୧୦ ଏକର, ଲୋକନାଥ ସାହୁଙ୍କ ୩ ଏକର, ମହୁଲପାଲି ଗ୍ରାମର ପ୍ରଶାନ୍ତ କରଙ୍କ ୨୦ ଏକର ଧାନ ତଳି ଦଳିଚକିଟି ନଷ୍ଟ କରିଦେଇଛନ୍ତି । ଖବରପାଇ ବରଗଡ଼ ରେଞ୍ଜର ମହେନ୍ଦ୍ର କୁମାର ପାତ୍ର ସଦଳବଳେ ପହଞ୍ଚି ହାତୀ ମାନଙ୍କ ଗତିବିଧି ଉପରେ ନଜର ରଖିବା ସହ ସେମାନଙ୍କୁ ଅନ୍ୟତ୍ର ଘଉଡାଇବାର ବ୍ୟବସ୍ଥା କରୁଛନ୍ତି।