ବଲାଙ୍ଗିର,ଏନ୍ଏନ୍ଏସ୍: ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ବିଜୁଳି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପସ୍ଥିତ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବିଜୁଳି ବିଭାଗ ତରଫରୁ ପ୍ରଦାନ କରାଯାଇଥିବା ତଥ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ବିଜୁଳି ବିତରଣର ଦାୟିତ୍ୱ ଟାଟା ପାୱାର ନେବା ଦିନ ଠାରୁ ବିଜୁଳି ସେବା ହୁଗୁଳା ହୋଇଗଲାଣି।
ବିଭାଗୀୟ ଅଧିକାରୀମାନେ ସହର ତଥା ଗାଁ’ମାନଙ୍କରେ ବିଜୁଳି ପ୍ରଦାନରେ ଅସଫଳ ରହୁଛନ୍ତି। ବିଜୁଳି ସେବା ଏକ ମୌଳିକ ଅଧିକାର, ତେଣୁ ଅଧିକାରୀମାନେ ଏଥି ପ୍ରତି ବିଶେଷ ଯତ୍ନବାନ ହେବା ଦରକାର। ବିଭାଗ ପ୍ରକାଶ କରିଥିବା ବିଜୁଳି ସଂଯୋଗ ତଥ୍ୟରେ ଅସାମଞ୍ଜସ୍ୟ ଦେଖାଯାଇଥିଲା। ଯେମିତି ଆଗାମୀ ବୈଠକରେ ଏହାର ପୁନରାବୃତ୍ତି ନହୁଏ ସେ ଉପରେ ତୁରନ୍ତ ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇିଥିଲେ। ବକେୟା ଦେୟ ଯୋଗୁଁ ଯେମିତି କୌଣସି ଗ୍ରାମ ବିଜୁଳି ପାଇବାରୁ ବଞ୍ଚିତ ନହେବେ ତାହା ଅଧିକାରୀମାନେ ସୁନିଶ୍ଚିତ କରନ୍ତୁ ବୋଲି ଶ୍ରୀ ମିଶ୍ର କହିଥିଲେ। ଉଚ୍ଚ କ୍ଷମତା ସମ୍ପନ୍ନ ବିଜୁଳି ତାର ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କ ଉପରେ ଯାଇଥିବାରୁ ଏହାକୁ ଯେତେ ଶୀଘ୍ର ହେବ ସ୍ଥାନାନ୍ତରଣ କରିବାକୁୁ ଚଞ୍ଚଳ ରାଣା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଏବଂ ମାନ୍ୟବର ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଓ ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରତିନିଧି ଜିଲ୍ଲାର ଟିଟିଲାଗଡ, ଲୋଇସିଂହା ଓ ପାଟଣାଗଡ ଅଞ୍ଚଳରେ ଥିବା ବିଭିନ୍ନ ଗ୍ରୀଡର ସମସ୍ୟା ତଥା ବିଦ୍ୟୁତକରଣ ହୋଇଥିବା ବିଭିନ୍ନ ଗ୍ରାମରେ ଶୀଘ୍ର ବିଦ୍ୟୁତକରଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜିର ବୈଠକରେ ଅଧିକାରୀମାନଙ୍କ ମଧ୍ୟରେ ଟାଟା ପାୱାରର ଅଧୀକ୍ଷଣ ଯନ୍ତ୍ରୀ ରଞ୍ଜନ ନାଏକ, ଟାଟା ପାୱାରର ପରିଚାଳନା ମୁଖ୍ୟ ସୁମିତ ବୋଷ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗଦୀଶ ଚନ୍ଦ୍ର ପାତ୍ର, ବିଭୁତି ଭୂଷଣ ଶତପଥୀ, ଜେନେରାଲ ମାନେଜର ଓପଟିସିଏଲ୍ ସନ୍ତୋଷ କୁମାର ବନଛୋର, ସଞ୍ଜୟ କୁମାର ଦେ, ଜିଲ୍ଲା ଯୋଜନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।