୭ ଅକ୍ଟୋବରରୁ ଆରମ୍ଭ ହେବ ୭ମ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨

ଭୁବନେଶ୍ୱର,ଏନ୍ଏନ୍ଏସ୍: ୭ମ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨ ଭୁବନେଶ୍ୱରର ଜନତା ମଇଦାନଠାରେ ୭ ଅକ୍ଟୋବର ୨୦୨୨ରୁ ୧୭ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ହେବାକୁ ଯାଉଛି। ଏହି ମେଳାରେ ୭ଟି ଦେଶ ଓ ୨୦ଟି ରାଜ୍ୟ ଅଂଶଗ୍ରହଣ କରିବେ। ଏଥିରେ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ କୁଶଳୀ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଆଭ୍ୟନ୍ତରୀଣ ସାଜସଜ୍ଜା, ଘର ସାଜସଜ୍ଜା, ଫର୍ଣ୍ଣିଚର, ଆଣ୍ଟିକ୍ କଲେକ୍ସନ, ପେଣ୍ଟିଂ, ଜ୍ୱେଲାରୀ, ଥାଇଲାଣ୍ଡ ଫୁଲ, ପୋଷାକ ପତ୍ର, ରାଜସ୍ଥାନୀ ମାର୍ବଲ୍ସ, ଆଫଗାନିସ୍ଥାନ ଡ୍ରାଏ ଫ୍ରୁଟ୍ସ, ବାଂଲାଦେଶ ଶାଢୀ, ହାଣ୍ଡିକ୍ରାଫ୍ଟ ଓ ହ୍ୟାଣ୍ଡ୍‌ଲୁମ ଜିନିଷ ଇତ୍ୟାଦି ପ୍ରଦର୍ଶିତ ହେବ।

ଚଳିତ ବାଣିଜ୍ୟ ମେଳାରେ ପ୍ରଥମ ଥର ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହଯୋଗରେ ଏକ ରିଅଲ ଇଷ୍ଟେଟ୍ ମେଳା ମଧ୍ୟ ଆୟୋଜିତ ହେବାକୁଯାଉଛି। ଏଥିରେ ବହୁ ନାମୀ ଦାମୀ ବିଲ୍ଡରମାନେ ଭାଗ ନେବା ସହ ଏହି ରିଅଲିଷ୍ଟେଟ୍ ମେଳାରୁ ସମସ୍ତେ ନିଜ ନିଜର ଆବଶ୍ୟକ ମୁତାବକ ବିଭିନ୍ନ ସୁବିଧା ପାଇପାରିବେ।

ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ମଜା ନେବା ପାଇଁ ଏଠାରେ ଏକ ଫୁଡ୍ ଜୋନ୍ ମଧ୍ୟ ରହିବ। ଏହି ଅବସରରେ ପ୍ରତ୍ୟହ ସନ୍ଧ୍ୟାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜିତ ହେବ। ଏହି ବାଣିଜ୍ୟ ମେଳାର ସମୟ ଅପରାହ୍ନ ୨ଘଟିକାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ରହିବ।