ନୂଆଦିଲ୍ଲୀ,ଏଜେନ୍ସି: ଦେଶର ୮ଟି ରାଜ୍ୟରେ ୧୯ଟି ରାଜ୍ୟସଭା ଆସନ ପାଇଁ ଆଜି ମତଦାନ ଅନୁଷ୍ଠିତ ହେବ। କରୋନା ମହାମାରୀ ହେତୁ ୧୯ଟି ସିଟରେ ନିର୍ବାଚନ ସ୍ଥଗିତ ରହିଥିଲା। ୧୯ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେଉଛି ସେଥି ମଧ୍ୟରୁ ୪ଟି ଆନ୍ଧ୍ରପ୍ରଦେଶ ଏବଂ ଗୁଜରାଟରୁ, ୩ଟି ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ, ଝାଡ଼ଖଣ୍ଡର ୨ଟି ଏବଂ ମଣିପୁର, ମିଜୋରାମ ଏବଂ ମେଘାଳୟର ଗୋଟିଏ ସିଟରେ ମତଦାନ ହେବ। ଏଥିମଧ୍ୟରେ ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହେବାର ଆଶଙ୍କା ରହିଛି।
ମଣିପୁରରେ ଚାରି ଶାସକ ମିଳିତ ମଞ୍ଚର ୯ ଜଣ ବିଧାୟକଙ୍କ ଇସ୍ତଫା ପରେ ଏନ ବିରେନ ସିଂ ସରକାରଙ୍କ ବିରୋଧରେ ବିରୋଧୀ କଂଗ୍ରେସର ଆତ୍ମବିଶ୍ୱାସର ଦାବି ଏହି ନିର୍ବାଚନକୁ ଅଧିକ ଆକର୍ଷଣୀୟ କରିଛି। ଏଠାରେ ବିଜେପିର ଲେସିମ୍ବା ସନାଜୋବା ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଟି ମାଙ୍ଗି ବାବୁ।
ସେହିପରି ଗୁଜୁରାଟରେ ୪ଟି ସିଟରେ ନିର୍ବାଚନ ହେଉଥିବା ବେଳେ ବିଜେପି ୩ ଜଣଙ୍କୁ ପ୍ରାର୍ଥୀ କରିଛି। ପ୍ରାର୍ଥୀ ମାନେ ହେଲେ ଅଭୟ ଭରଦ୍ୱାଜ, ରାମିଲା ବାରା ଏବଂ ନରହରି ଆମିନ। ସେହିପରି କଂଗ୍ରେସରୁ ୨ ଜଣ ଶକ୍ତି ସିଂ ଗୋହିଲ ଏବଂ ଭାରତ ସିଂ ସୋଲାଙ୍କି ନିର୍ବାଚନ ଲଢ଼ିବେ। ପୂର୍ବରୁ ୩ଟି ସିଟରେ ବିଜେପିର ସାଂସଦ ରହିଥିଲେ।
ମଧ୍ୟପ୍ରଦେଶରେ ୩ ସିଟ ପାଇଁ ଉଭୟ କଂଗ୍ରେସ ଏବଂ ବିଜେପି ପ୍ରତ୍ୟେକ ୨ଜଣ ପ୍ରାର୍ଥୀ ଦେଇଛନ୍ତି। ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ କଂଗ୍ରେସ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ସୁମର ସିଂ ସୋଲାଙ୍କି ଓ କଂଗ୍ରେସ ଦିଗଭିଜୟ ସିଂ ଏବଂ ଦଳିତ ନେତା ଫୁଲ ସିଂ ବାରାୟା ଅଛନ୍ତି।
ରାଜସ୍ଥାନରେ ବିଧାୟକ ଭାଙ୍ଗିବା ଅଭିଯୋଗରେ ଶାସକ କଂଗ୍ରେସ ଏବଂ ବିରୋଧୀ ବିଜେପି ବିଧାୟକଙ୍କୁ ଅଲଗା ଅଲଗା ହୋଟେଲରେ ଲୁଚାଇ ରଖିଥିଲେ। ୩ଟି ସିଟରେ ଉଭୟ କଂଗ୍ରେସ ଏବଂ ବିଜେପି ୨ଜଣ ପ୍ରାର୍ଥୀ ଦେଇଛନ୍ତି। କଂଗ୍ରେସ କେସି ଭେନୁଗୋପାଲ ଏବଂ ନୀରଜ ଡାଙ୍ଗୀ ଏବଂ ବିଜେପି ରାଜେନ୍ଦ୍ର ଗେହଲଟ ଏବଂ ଓମକାର ସିଂ ଲେଖାୱାଟଙ୍କୁ ମନୋନୀତ କରିଛି।
ଆନ୍ଧ୍ରପ୍ରଦେଶରୁ ୪ଜଣ ସଦସ୍ୟ ରାଜ୍ୟସଭାକୁ ନିର୍ବାଚିତ ହେବେ। ବିଧାନସଭାରେ ପର୍ଯ୍ୟାପ୍ତ ସଂଖ୍ୟକ ଆସନ ଥିବାରୁ ଶାସକ ୱାଇଏସ୍ଆର କଂଗ୍ରେସ ଏହି ୪ଟି ଆସନ ଜିତିବ ବୋଲି ଆଶା କରାଯାଉଛି। ୨୦୧୪ରେ ରାଜ୍ୟ ବିଭାଜନ ପରେ ପ୍ରଥମ ଥର ପାଇଁ ଏଠାରେ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।