ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଏବଂ ବାଂଲାଦେଶ ସୀମା ପକ୍ଷରୁ ଉଭୟ ଦେଶର ସୀମାରେ ଘଟୁଥିବା ବିବାଦୀୟ ଘଟଣାକୁ ଶୂନ୍ୟ କରିବାକୁ ଏବଂ ଉଭୟ ଦେଶର ସେନା ମଧ୍ୟରେ ସୁସମ୍ପର୍କ ବୃଦ୍ଧି କରାଇବାକୁ ବୁଧବାର ସଂକଳ୍ପ ନିଆଯାଇଛି । ଭର୍ଚୁଆଲ୍ ମୋଡ୍ରେ ଅନୁଷ୍ଠିତ ହୋଇଥିବା ଭାରତ-ବାଂଲାଦେଶ ମିଳିତ ପରାମର୍ଶଦାତା ଆୟୋଗ (ଜେସିସି)ର ୬ଷ୍ଠ ବୈଠକରେ ଦୁୁଇ ଦେଶ ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ବୈଠକରେ ବାଂଲାଦେଶ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏକେ ଅବଦୁଲ୍ ମୋମେନ୍ଙ୍କ ସହ ଆଲୋଚନା କରିଥିଲେ । ଭାରତ-ବାଂଲା ସୀମାରେ ଥିବ।। ଲୋକଙ୍କୁ ଶିକ୍ଷିତ କରିବା ଦିଗରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିଲା ।
ଅପରାଧ ରୋକିବା ଦିଗରେ ସୀମାରେ ୧୫୦ଗଜ ଦୂରରେ ବାଡ଼ ତିଆରି କରିବାକୁ ଏହି ବୈଠକରେ ଭାରତ ପକ୍ଷରୁ ଅନୁରୋଧ କରାଯାଇଥିଲା । ଏହି ଅବସରରେ ଉଭୟ ଦେଶ କୋଭିଡ୍ ଟିକା ପରୀକ୍ଷଣ, ସହ-ଉତ୍ପାଦନ ଏବଂ ବିତରଣ ସମ୍ପର୍କରେ ତଥ୍ୟ ଆଦାନପ୍ରଦାନ କରିଥିଲେ । ଆସନ୍ତା ନଭେମ୍ବରରେ ଉଭୟ ଦେଶ ମଧ୍ୟରେ ଅନ୍ୟ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ଉଭୟ ଦେଶ ପକ୍ଷରୁ ସ୍ଥିର କରାଯାଇଛି ।