ରାଷ୍ଟ୍ରପତି ନିର୍ବାଚନ: ବାଲାଟ ବକ୍ସ ବିତରଣ ଆରମ୍ଭ କଲା ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରପତି ନିର୍ବାଚନ ଆଉ ମାତ୍ର ଏକସପ୍ତାହରୁ କମ ସମୟ ଥିବା ବେଳେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୋଟିଂ ପ୍ରକ୍ରିୟାରେ ବ୍ୟବହାର ହେବାକୁ ଥିବା ବାଲାଟ ବକ୍ସ, ବାଟାଲ ପେପର, ସ୍ବତନ୍ତ୍ର କଲମ ଓ ଅନ୍ୟ ଆବଶ୍ୟକୀୟ ସାମଗ୍ରୀର ବିତରଣ ପ୍ରକ୍ରିୟା ଆରମ୍ଭ କରିଛି ନିର୍ବାଚନ କମିଶନ ।

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା ଭୋଟ ଦେବା ପାଇଁ ଏଥିର କୌଣସି ଇଭିଏମ୍‌ ପରିବର୍ତ୍ତେ ବାଲାଟ ପେପର ଓ ଆୟୋଗ ଦ୍ବାରା ପ୍ରଦତ୍ତ ସ୍ବତନ୍ତ୍ର କଲମର ମଧ୍ୟ ବ୍ୟବହାର କରାଯାଏ । ଉକ୍ତ ନିର୍ଦ୍ଦିଷ୍ଟ କଲମ ବ୍ୟତୀତ ଅନ୍ୟ ତଥା ସଧାରଣ କଲମ ବ୍ୟବହାର କଲେ ଉକ୍ତ ଭୋଟ ନାକଚ ମଧ୍ୟ ହେବାର ଏସ୍‌ଓପି ରହିଛି । ତେବେ ସମସ୍ତ ମତଦାନ ଭୋଟିଂ କେନ୍ଦ୍ରକୁ ଏହି ସବୁ ଉପକରଣ ଓ ସାମଗ୍ରୀ ପଠାଇବା ଆରମ୍ଭ କରିଛି ଭାରତୀୟ ନିର୍ବାଚନ ଆୟୋଗ । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ବାରା ଏହି ସାମଗ୍ରୀ ଗ୍ରହଣ କରାଯିବା ସହ ପରବର୍ତ୍ତୀ ବ୍ୟବସ୍ଥା ମଧ୍ୟ କରାଯିବ ।

ଏହି ମତଦାନ ପ୍ରକ୍ରିୟା ସମସ୍ତ ରାଜ୍ୟର ବିଧାନସଭା ଓ ଦିଲ୍ଲୀରେ ସଂସଦ ଭବନରେ ଆୟୋଜିତ ହେବ । ବିଧାୟକ ଓ ରାଜ୍ୟ ବିଧାନ ପରିଷଦର ସଦସ୍ୟମାନେ ନିଜ ବିଧାନସଭା ପରିସରେ ଆୟୋଜିତ ପୋଲିଂ ବୁଥରେ ଭୋଟ ଦେବେ । ସେହିପରି ସାଂସଦମାନେ ସଂସଦରେ ଭୋଟ ଦେବାର ପରମ୍ପରା ରହିଛି । ସାଧାରଣ ନିର୍ବାଚନ ଶୈଳୀ ପରିବର୍ତ୍ତେ ଭିନ୍ନ ତଥା ସ୍ବତନ୍ତ୍ର ପ୍ରୋଟୋକଲରେ ଏହି ମତଦାନ ପ୍ରକ୍ରିୟା ଶେଷ କରାଯିବା ନେଇ ବ୍ୟବସ୍ଥା ମଧ୍ୟ ରହିଛି । ଭୋଟ ଗ୍ରହଣ ଶେଷ ହେବା ପରେ ବାଲାଟ ବକ୍ସକୁ ସମ୍ପୂର୍ଣ୍ଣ ଏସ୍‌ଓପି ଅନୁସରଣ କରି ଦିଲ୍ଲୀ ଅଣାଯିବ । ପରେ ନିର୍ଦ୍ଧାରିତ ତାରିଖରେ ଭୋଟ ଗଣତି ଓ ଫଳ ପ୍ରକାଶନ କରିବେ ନିର୍ବାଚନ କମିଶନର ।

ଚଳିତ ମାସ ୧୮ ତାରିଖରେ ଏହି ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ମତଦାନ ହେବ । ୨୧ରେ ଗଣତି ହେବା ନେଇ ତାରିଖ ସ୍ଥିର ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଚଳିତ ମାସ ୨୪ରେ ଶେଷ ହେଉଥିବା ବେଳେ ତା ପରଦିନ ଅର୍ଥାତ ୨୫ରେ ଦେଶର ନୂତନ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ । ଶାସକ ମେଣ୍ଟ ଏନଡିଏ ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁ ଓ ମିଳିତ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ମଧ୍ୟରେ ଚଳିତ ଥର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ପ୍ରତିଯୋଗିତା ହେଉଛି ।