ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀଙ୍କ ସ୍ୱାଭିମାନ ଅଂଚଳ ଗସ୍ତ : ଶିକ୍ଷାର ବିକାଶ ପାଇଁ ୧୦ କୋଟି ଖର୍ଚ୍ଚ ହେବ

ମାଲକାନଗିରି , ଏନ୍ଏନ୍ଏସ୍ : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଗୁରୁବାର ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ସ୍ୱାଭିମାନ ଅଂଚଳର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ପ୍ରଥମେ ସେ ଗୁରୁପ୍ରିୟା ସେତୁ ନିକଟରେ ପହଂଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ନ୍ଧନା ଜ୍ଞାପନ କରାଯାଇଥିଲା । ଏହାପରେ ସେ ଗୁରୁପ୍ରିୟା ସେତୁ ପରିଦର୍ଶନ କରିବା ପରେ ସ୍ୱାଭିମାନ ଅଂଚଳର ବଡ଼ପଡ଼ା କନ୍ୟାଶ୍ରମ ପରିଦର୍ଶନ କରି ସେଠାକାର ଛାତ୍ରୀଙ୍କ ସହ ଭାବ ବିନିମୟ କରି ଛାତ୍ରବାସରେ ମିଳୁଥିବା ସୁବିଧା ସୁଯୋଗ ଉପରେ ପଚାରି ବୁଝିଥିଲେ। ଏଥିସହ ଆଶ୍ରମର ପାରିପାଶ୍ୱର୍ିକ ସ୍ଥିତି ଓ ପାଠପଢ଼ା ନେଇ ଆଲୋଚନା କରିଥିଲେ ।

ଏହି ସମୟରେ ଛାତ୍ରୀଙ୍କୁ ମନ୍ତ୍ରୀଙ୍କ ପରିଚୟ ଜାଣିବା ପାଇଁ ପ୍ରଶ୍ନ ପଚାରିବାରୁ କେହି ମନ୍ତ୍ରୀଙ୍କ ପରିଚୟ ଦେଇପାରିନଥିଲେ । ଏହାପରେ ମୂଖ୍ୟମନ୍ତ୍ରୀଙ୍କ ନାମ ପଚାରିବାରୁ ଏହାର ଉତର ମଧ୍ୟ ଛାତ୍ରୀମାନେ ଦେଇପାରି ନଥିବାରୁ ମନ୍ତ୍ରୀ ଶ୍ରୀ ଦାସ ଅସନ୍ତୋଷ ପ୍ରକାଶ କରି ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ । ପରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେଇ ଶିକ୍ଷାର ବିକାଶ ହେଲେ ଏହି ଅଂଚଳର ବିକାଶ ସମ୍ଭବ। ତେଣୁ ଛାତ୍ରଛାତ୍ରୀମାନେ ମନ ଦେଇ ପାଠ ପଢ଼ିବାକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରରେ ନବରଙ୍ଗପୁର ସଂସଦ ରମେଶ ଚନ୍ଦ୍ର ମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡ଼କାମି, ପୂର୍ବତନ ଅଧ୍ୟକ୍ଷ ଆଡ଼ମା ରାୱା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ୍ମିନୀ ମୁଦୁଲି, ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଡି.ଏଫ.ଓ ପ୍ରଦୀପ ଦେବୀଦାସ ମୀରାସେ , ଆଇ.ଟି.ଡି.ଏର ପ୍ରକଳ୍ପ ପ୍ରଶାସକ କ୍ଷୀରାବ୍ଧି ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସେଠୀ, ବି.ଡି.ଓ ଲରୀମନ ଖରସେଲ , ତହସିଲଦାର ଟି. ପଦ୍ମନାଭ ଦୋରାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ। ପରେ ଚିତ୍ରକୋଣ୍ଡାସ୍ଥିତ ରାଜସ୍ୱ ବିଭାଗର ବିଶ୍ରାମାଗାର ଓ ବନ ବିଭାଗର ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀର ବିଶ୍ରାମାଗାରକୁ ଉଦଘାଟନ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ, ଗୁରୁପ୍ରିୟା ସେତୁ ଉଦଘାଟନ ବେଳେ ମୂଖ୍ୟମନ୍ତ୍ରୀ ଏହି ଅଂଚଳକୁ ଗସ୍ତ କରିଥିବା ବେଳେ ଏହା ହେଉଛି ପ୍ରଥମ ଜଣେ ମନ୍ତ୍ରୀଙ୍କ ଗସ୍ତ ।