୫ -ଟିକୁ ନେଇ ମୁହାଁମୁହିଁ ହେଲେ ଦୁଇ ପ୍ରଶାସକ 

ଭୁବନେଶ୍ୱର : ୫ – ଟି  ଏକ ଅଭିନବ ପଦକ୍ଷେପ ନୁହେଁ । ଏହା ବହୁତ ପୁରୁଣା କଥା । ଆଇଏଏସ୍ ଟ୍ରେନିଂ ନେବା ବେଳେ ୫ – ଟି  ଟ୍ରେନିଂ ଦିଆଯାଉଥିଲା ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଅନ୍ୟପକ୍ଷରେ ତାଙ୍କର ଏହି ମନ୍ତବ୍ୟ ଉପରେ ଜବାବ ରଖି ବିଜେଡି ନେତା ଅରୂପ ପଟ୍ଟନାୟକ କହିଛନ୍ତି, ମୁଁ ତ ଆଇଏଏସ୍ ଓ ଆଇପିଏସ୍ ଟ୍ରେନିଂ ବେଳେ ଯାହା ହୁଏ ସବୁ ଜାଣିଛି । ସେଠାରେ ଆମେ ଲେଫ୍ଟ ରାଇଟ୍ ଶିଖୁ । ଲୋକଙ୍କୁ କେମିତି ହ୍ୟାଣ୍ଡେଲ କରାଯିବ ଟ୍ରେନିଂ ଦିଆଯାଏନାହିଁ  । ଲୋକଙ୍କ ସହ କିପରି ବସିବେ , କେମିତି ମିଶିବେ ଏଗୁଡ଼ିକ ଶିଖା ଯାଏ ନାହିଁ । ସେ ଭଦ୍ର ମହିଳା ଟ୍ରେନିଂରେ ୫-ଟି ଶିଖିଥିବେ । ମୁଁ କିନ୍ତୁ ଟ୍ରେନିଂରେ କେବଳ ପରେଡ୍ ଶିଖିଛି । ସେ ଯେବେ ମୁଖ୍ୟମନ୍ତ୍ରୀ ହେବେ ୫-ଟି ବାତିଲ କରିଦେବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ଗୁରୁବାର ଦିନ ରାଜ୍ୟ ସରକାରଙ୍କ ୫ – ଟି କାର୍ୟ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇବା ସହ ଶାସନର ୨୦ ବର୍ଷ ପରେ ଏବେ କାହିଁକି ସରକାର ୫ – ଟି  ଆଣିଲେ , ପୂର୍ବରୁ ଏହା କ’ଣ ଆମ ସିଷ୍ଟମରେ ନଥିଲା କି ? ବୋଲି ଶ୍ରୀମତୀ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି । ସ୍ୱାସ୍ଥ୍ୟ ଓ ଗୃହ ବିଭାଗର ଉଦାହରଣ ଦେଇ ଅପରାଜିତା କହିଛନ୍ତି ,ଯଦି “ସ୍ୱାସ୍ଥ୍ୟ ବିଭାଗରେ ୫ – ଟି ଲାଗୁ କରାଯାଇଥାନ୍ତା, ତେବେ କ’ଣ ଏଥିରେ ସ୍ୱଚ୍ଛତା ଆସିନଥାନ୍ତି କି ? ଏଥିପାଇଁ ଏକ କ୍ଷମତା ସମ୍ପନ୍ନ ବିଭାଗ କାହିଁକି ଗଠନ କରାଗଲା ।  ଜଣେ ବ୍ୟକ୍ତିଙ୍କୁ କ୍ଷମତା ଦେଇଦେବା ଦ୍ୱାରା ଅନ୍ୟ ବିଭାଗର କାର୍ୟ୍ୟଧାରା ନେଇ ପ୍ରଶ୍ନ ଉଠୁଛି ବୋଲି ସେ କହିଛନ୍ତି ।