ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବିଦ୍ୟାଳୟ ପରିଦର୍ଶନ

କୋରାପୁଟ,ଏନ୍ଏନ୍ଏସ୍: ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କୋରାପୁଟ ଜିଲ୍ଲା ଗସ୍ତରେ ଆସି ମାଛରା ଆଦର୍ଶ ବିଦ୍ୟାଳୟ ଓ କୋରାପୁଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ପ୍ରଥମେ କୋରାପୁଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ନବମ ଓ ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ଶିକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ବିଦ୍ୟାଳୟର ରୂପାନ୍ତରିତ କାର୍ଯ୍ୟ ତଦାରଖ କରିଥିଲେ। ନବମ ଶ୍ରେଣୀ ଛାତ୍ରୀଙ୍କୁ ମନ୍ତ୍ରୀ ଶିକ୍ଷାଦାନ କରିଥିଲେ। ପରେ ମାଛରା ଆଦର୍ଶ ବିଦ୍ୟାଳୟକୁ ଯାଇଥିଲେ। ଏହି ସମୟରେ କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହକ, କୋରାପୁଟ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନି, ସମଗ୍ର ଶିକ୍ଷା ଅଭିଯାନର ବରିଷ୍ଠ ବୈଷୟିକ ପରାମର୍ଶଦାତା ଭେଙ୍କେଟେଶ୍ୱର ମିଶ୍ର ଓ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦୁର୍ଗା ପ୍ରସାଦ ରଥ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ୩ ବର୍ଷ ମଧ୍ୟରେ ରାଜ୍ୟରେ ୫ ହଜାର ସ୍କୁଲକୁ ରୂପାନ୍ତରିତ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ କୋରାପୁଟ ଜିଲ୍ଲାରେ ୧୭ଟି କାର୍ଯ୍ୟ ଚାଲିଥିବା ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି।