ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ପୁଣି ଥରେ ଇଡ଼ିର ଡାକରା

ମୁମ୍ବାଇ,ଏଜେନ୍ସି: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ଅର୍ଥ ହେରଫେର ମାମଲାରେ ପୁଣି ଥରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ସମନ ଜାରି କରାଯାଇଛି।

ଇଡ଼ି ଅଧିକାରୀଙ୍କ ସୂଚନା ଅନୁସାରେ ରାଷ୍ଟ୍ରବାଦୀ କଂଗ୍ରେସ ଦଳର ନେତା ଦେଶମୁଖଙ୍କୁ ତଦନ୍ତ ଅଧିକାରୀ ନିକଟରେ ହାଜିର ହେବା ପାଇଁ ତୃତୀୟ ଥର ପାଇଁ ନୋଟିସ ଜାରି ହୋଇଛି। ଦକ୍ଷିଣ ମୁମ୍ବାଇ ସ୍ଥିତ କେନ୍ଦ୍ରୀୟ ଏଜେନ୍ସି କାର୍ଯ୍ୟାଳୟରେ ଜୁଲାଇ ୫ ତାରିଖ ଅର୍ଥାତ ଆସନ୍ତା ସୋମବାର ଦିନ ନିଜର ବୟାନ ରେକର୍ଡ କରିବାକୁ କୁହାଯାଇଛି।

ଏହା ପୂର୍ବରୁ ଶ୍ରୀ ଦେଶମୁଖଙ୍କୁ ୨ ନୋଟିସ ଜାରି ହୋଇଥିବା ବେଳେ କରୋନା ଭାଇରସ ସଂକ୍ରମଣର ବିପଦ ଦର୍ଶାଇ ହାଜର ହୋଇନଥିଲେ। ୧୦୦ କୋଟି ଟଙ୍କା ଲାଞ୍ଚ ଏବଂ ଚୋରାଚାଲାଣ ରାକେଟ ସହ ଜଡିତ ଅର୍ଥ ହେରଫେର ମାମଲାରେ ଦେଶମୁଖଙ୍କୁ ଇଡି ଡକାଇଛି। ଏହି ଅଭିଯୋଗ ହେତୁ ଦେଶମୁଖ ଚଳିତ ବର୍ଷ ଏପ୍ରିଲରେ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।