ମନୀଷ ସିସୋଦିଆଙ୍କ ସହାୟକଙ୍କୁ ବାନ୍ଧିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ,ଏଜେନ୍ସି: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ବ୍ୟକ୍ତିଗତ ସହୟକ ଦେବେନ୍ଦ୍ର ଶର୍ମାଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି (ଶନିବାର) ସହାୟକ ଦେବେନ୍ଦ୍ରଙ୍କୁ ଗିରଫ କରାଯାଇଥିବା ନିଜେ ସିସୋଦିଆ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଟ୍ବିଟରେ ସିସୋଦିଆ କହିଛନ୍ତି, ‘‘ସେମାନେ ମୋ ଉପରେ ମିଥ୍ୟା ଅଭିଯୋଗ ଆଣିଲେ, ମୋ ଘରେ ଓ ଗ୍ରାମରେ ଚଢାଉ କଲେ, ତଥାପି କିଛି ପାଇଲେ ନାହିଁ । ଏବେ ମୋ ବ୍ୟକ୍ତିଗତ ସହୟକଙ୍କ ଘରେ ଚଢାଉ କରିଛନ୍ତି । ସେଠାରୁ କିଛି ମଳି ନଥିଲେ ସୁଦ୍ଧା ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି ।’’

ସୂଚନା ଅନୁସାରେ ଅଗଷ୍ଟ ୧୯ ରେ, ଦିଲ୍ଲୀର ନୂଆ ଅବକାରୀ ନୀତି ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନରେ ଚଢଉ କରିଥିଲା ସିବିଆଇ । ସିସୋଦିଆଙ୍କ ଅଫିସ ଓ ବାସଭବନ ସମେତ ଏକାଧିକ ସ୍ଥାନରେ ଚଢାଉ ହୋଇଥିଲେ ସୁଦ୍ଧା କେନ୍ଦ୍ରୀୟ ସଂସ୍ଥା ହାତରେ କୌଣସି ଗୁରୁତ୍ବପୂର୍ଣ୍ଣ ଦଲିଲ କିମ୍ବା ଅନ୍ୟ କିଛି ଲାଗି ନଥିଲା । ଏହି ମାମଲାରେ ତଦନ୍ତ ପରିସରରେ ରହିଛନ୍ତି ଉପମୁଖ୍ଯମନ୍ତ୍ରୀ ମନୀଷ ସିସୋଦିଆ । ପରେ ସେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳରେ ହାଜର ମଧ୍ୟ ହୋଇଥଲେ ।

ଗତ ବର୍ଷ ଦିଲ୍ଲୀ ସରକାରଙ୍କ ଦ୍ବାରା ଲାଗୁ ହୋଇଥିବା ନୂତନ ଅବକାରୀ ନୀତି (ଏକ୍ସାଇଜ୍ ନୀତି) ବର୍ତ୍ତମାନ ପ୍ରତ୍ୟାହାର କରି ନିଆଯାଇଛି । ଉପ ରାଜ୍ୟପାଳ ବିନୟ ସକ୍ସେନା ଅଗଷ୍ଟ ମାସରେ ଏଥିରେ ଦୁର୍ନୀତି ହୋଇଥିବା ଦର୍ଶାଇବା ସହକେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା ଏହି ମାମଲାର ତଦନ୍ତ କରିବାକୁ ପରାମର୍ଶ ଦେଇଥିଲେ । ଏହି ଘଟଣାର ତଦନ୍ତ ଏବେ ଉଭୟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଜାରି ରହିଛି ।