ରାଷ୍ଟ୍ରୀୟ ସ୍ମାରକ ପ୍ରାଧିକରଣର ଅଧ୍ୟକ୍ଷ ହେଲେ ପ୍ରଫେସର କିଶୋର ବାସା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜାତୀୟ ସ୍ତରରେ ଆଉ ଜଣେ ଓଡ଼ିଆଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ରାଷ୍ଟ୍ରୀୟ ସ୍ମାରକ ପ୍ରାଧିକରଣ- ଏନଏମଏର ଅଧ୍ୟକ୍ଷ ହେଲେ ପ୍ରଫେସର କିଶୋର ବାସା। ଏନେଇ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଫେସର ବାସା ବର୍ତ୍ତମାନ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ଅଛନ୍ତି। ସେ ପୂର୍ବରୁ ବାଲେଶ୍ୱରର ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ। ୨୦୧୯-୨୦ ମସିହାରେ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଟାଗୋର ନ୍ୟାସନାଲ ଫେଲୋ ପ୍ରାପ୍ତ ହୋଇଥିଲେ।

ଏହାସହ ଇଣ୍ଡିଆନ ନ୍ୟାସନାଲ କନ୍‌ଫିଡରେସନ ଆଣ୍ଡ ଏକାଡେମୀ ଅଫ୍‌ ଆନ୍ଥ୍ରୋପୋଲୋଜିଷ୍ଟସ୍‌- ଆଇଏନସିଏଏର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ଶିକ୍ଷାଗତ କମିଟିର ବିଭିନ୍ନ ପ୍ରଶାସନିକ ପଦ ପଦବୀରେ ଥିଲେ। ଏନଏମର ଅଧ୍ୟକ୍ଷ ହେବା ପରେ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବେ ବୋଲି ସେ କହିଛନ୍ତି।