ମାତ୍ର ୧୫ ମିନିଟରେ ହାତରେ ତିଆରି ହେବ ୧୦ ହଜାର କାଗଜ ଡଙ୍ଗା: ଗିନିଜ ବୁକ ରେକର୍ଡ ପାଇଁ ପ୍ରୟାସ

କଟକ,ଏନ୍ଏନ୍ଏସ୍:ମାତ୍ର ୧୫ ମିନିଟରେ ହାତରେ ତିଆରି ହେବ ୧୦ ହଜାର କାଗଜ ଡଙ୍ଗା । କଟକ ଐତିହାସିକ ବାଲିଯାତ୍ରା ଅବସରରେ ଗିନିଜ ବୁକ ରେକର୍ଡ ପାଇଁ ପ୍ରଶାସନ ପକ୍ଷରୁ ଏହି ପ୍ରୟାସ କରାଯିବ । ଆସନ୍ତା ୧୦ ତାରିଖରେ ଲଣ୍ଡନରୁ ଆସି ପହଞ୍ଚିବେ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡର ଅଫିସିଆଲ ଟିମ୍‌ । ଆସନ୍ତା ୧୨ ତାରିଖରେ ଏହି କାର୍ଯ୍ୟକ୍ରମ ବାରବାଟୀ ଷ୍ଟାଡିୟମରେ କରାଯିବାକୁ ଯୋଜନା ରଖାଯାଇଛି ।

ପ୍ରତି ଅଂଶଗ୍ରହଣକାରୀଙ୍କୁ ସର୍ବନିମ୍ନ ୫ ଟି ଡଙ୍ଗା ତିଆରି କରିବାକୁ ପଡ଼ିବ । ଏହା ଭିତରୁ ଅତି କମ୍‌ରେ ୩ ଠିକ ହେଲେ ସେଗୁଡିକ ଯୋଗ୍ୟ ବିବେଚିତ ହେବେ । ଏହି ଅଭିଯାନ ପାଇଁ ଟେଣ୍ଡର ପ୍ରକ୍ରିୟା ଜରିଆରେ ଏକ ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଛି ଏବଂ ୩୦ ଲକ୍ଷ ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଛି ବୋଲି କଟକ ମେୟର ସୁବାସ ସିଂ ସୂଚନା ଦେଇଛନ୍ତି ।

କଟକ ସହରର ବିଭିନ୍ନ ବୟସ ବର୍ଗର ଜନସାଧାରଣ ତଥା ସଂଘଗୁଡିକୁ ଏଥିରେ ସାମିଲ କରାଯିବ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଡଙ୍ଗା ତିଆରି ଶିଖାଯିବ । କଟକ ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବାରେ ଏହି ଡଙ୍ଗା ତିଆରି ଅଭିଯାନ ସହାୟକ ହେବ ବୋଲି ମେୟର କହିଛନ୍ତି । ଆଜି ସିଏମସି ସମ୍ମିଳନୀ କକ୍ଷରେ ଏହି ପ୍ରସ୍ତୁତିର ପ୍ରଥମ ଝଲକ ଦେଖିବାକୁ ମିଳିଥିଲା । ଉପସ୍ଥିତ କର୍ପୋରେଟର ତଥା ସିଏମସି କର୍ମଚାରୀଙ୍କୁ କାଗଜ ଡଙ୍ଗା ତିଆରି ନେଇ ପ୍ରଶିକ୍ଷଣ ଦିଆଯାଇଥିଲା ।