ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁଣି ଖୋଲିଛି ବରିଷ୍ଠ ନେତାଙ୍କ ଚିଟ୍ଫଣ୍ଡ ଫାଇଲ୍ । ଅର୍ଥତତ୍ତ୍ୱ(ଏଟି) ଠକେଇ ମାମଲାରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଶୁକ୍ରବାର ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଘନଘନ ଜେରା କରିଛି । ବେଆଇନ ଅର୍ଥ କାରବାର ଦିଗକୁ ନେଇ ପ୍ରାୟ ୯ଘଣ୍ଟା ଧରି ଇଡି ପଚରାଉଚରା କରିଛି । ତେବେ ଏତେ ବର୍ଷ ପରେ ହଠାତ୍ ପୁଣି ଶ୍ରୀ ତ୍ରିପାଠୀଙ୍କ କଥା ଇଡିର କାହିଁକି ମନେପଡ଼ିଲା? ଏଥିରେ ଆଉ କାହାର ଲିଙ୍କ୍ ବାହାରିଛି କି? ଏହାପରେ କାହାର ପାଳି? …ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।
ପ୍ରଭାତଙ୍କୁ ଏଟି ଚିଟ୍ଫଣ୍ଡ ଠକେଇ ମାମଲାରେ ହାଜର ହେବାକୁ ଇଡି ନୋଟିସ୍ କରିଥିଲା । ଶୁକ୍ରବାର ପୂର୍ବାହ୍ଣ ୧୦ଟା ୪୫ମିନିଟ୍ରେ ନୟାପଲ୍ଲୀସ୍ଥିତ ଇଡି କାର୍ଯ୍ୟାଳୟରେ ସେ ହାଜର ହୋଇଥିଲେ । ସିବିଆଇ ଚାର୍ଜସିଟ୍ ଆଧାରରେ ପ୍ରଭାତ ୪୨ଲକ୍ଷ ଟଙ୍କା ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ସଂସ୍ଥା ଠାରୁ ନେଇଥିଲେ । ଏହି ଟଙ୍କା କେଉଁଠି ନିବେଶ କରିଥିଲେ, କାହାକୁ କାହାକୁ ଦେଇଥିଲେ, ଏହିସବୁ ଦିଗକୁ ନେଇ ତାଙ୍କୁ ପଚରାଯାଇଛି । ଏଥିସହ ତାଙ୍କର ବ୍ୟାଙ୍କ୍ ଆକାଉଣ୍ଟକୁ ଇଡି ତନ୍ନତନ୍ନ କରି ଯାଞ୍ଚ କରିଛି । ତେବେ ପୂର୍ବରୁ ଇଡି ଥରେ ଜେରା କରିସାରିଥିଲେ ବି ପୁଣି କାହିଁକି ଡାକିଥିଲା, ସେନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ଅଧିକ ସୁଧ ଦେବାର ଲୋଭ ଦେଖାଇ ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ସଂସ୍ଥା ରାଜ୍ୟରେ କାୟା ମେଲାଇଥିଲା । ଲୋକଙ୍କ ଠାରୁ ପ୍ରାୟ ୫୦୦କୋଟି ଠକି ନେଇଥିଲା । ୨୦୦୮ରୁ ୨୦୧୧ ମଧ୍ୟରେ ପ୍ରଭାତ ତ୍ରିପାଠୀ ରାଜ୍ୟ କୋ-ଅପରେଟିଭ୍ ସଂଘର ସଭାପତି ଥିଲେ । ପଦବୀର ସୁଯୋଗ ନେଇ ସେ ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ସଂସ୍ଥାକୁ ଓଡ଼ିଶାରେ କାୟା ବିଛାଇବା ପାଇଁ ସହଯୋଗ କରିଥିଲେ । ଏ ବାବଦକୁ ସେ ୪୨ଲକ୍ଷ ଟଙ୍କା ନେଇଥିଲେ । ପରେ ଏଟି ୫୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକିନେଇଥିବା ସିବିଆଇରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ସିବିଆଇ ମାମଲା ରୁଜୁ କରି ତଦନ୍ତ କରିଥିଲା । ତଦନ୍ତରୁ ଓଡ଼ିଶାର ଅନେକ ନେତା ସମ୍ପୃକ୍ତ ଥିବା ଜଣାପଡ଼ିଥିଲା ।
ଏହି ଆଧାରରେ ୨୦୧୪ ମସିହା ଅକ୍ଟୋବର ୩୧ ତାରିଖରେ ସିବିଆଇ ପ୍ରଭାତଙ୍କୁ ଗିରଫ କରିଥିଲା । ପରେ ତାଙ୍କୁ ୪୨ଲକ୍ଷ ଟଙ୍କା ସମ୍ପର୍କରେ ପଚରାଉଚରା କରାଯାଇଥିଲା । ହେଲେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଥିଲା । ଗିରଫ ପରେ ତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା । କିଛିମାସ ଜେଲ୍ରେ ରହିବା ପରେ ୨୦୧୫ ମସିହା ମାର୍ଚ୍ଚ ୩ ତାରିଖରେ ପ୍ରଭାତ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ପାଇଥିଲେ । ୨୦୧୭ରେ ବିଜେଡି ତାଙ୍କ ଉପରେ ଲଗାଯାଇଥିବା ନିଲମ୍ବନକୁ ପ୍ରତ୍ୟାହାର କରିନେଇଥିଲା ।
ପ୍ରଭାତ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ଲାଗି ପ୍ରଚେଷ୍ଟା କରିଥିଲେ । ତାଙ୍କ ବିରୋଧରେ ହୋଇଥିବା ସିବିଆଇ ମାମଲାକୁ ରଦ୍ଦ କରିବା ଲାଗି ସେ ହାଇକୋର୍ଟରେ ପିଟିସନ୍ ଦାଖଲ କରିଥିଲେ । ହେଲେ ୨୦୨୧ ଡିସେମ୍ବର ୧୭ ତାରିଖରେ ଏହି ପିଟିସନକୁ ହାଇକୋର୍ଟ ଖାରଜ କରିଦେଇଥିଲେ । ଏହାପରେ ତାଙ୍କ ବିରୋଧରେ ଥିବା ମାମଲା ଗଡ଼ି ଚାଲିଥିଲା । ଏହି ମାମଲାକୁ ନେଇ ସିବିଆଇ ଖୋଳତାଡ଼ ଜାରି ରଖିଥିବାବେଳେ ଇଡି ମନି ଲଣ୍ଡରିଂ ଆଇନରେ ଛାନ୍ଭିନ୍ କରୁଛି ।
ଜେରା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଭାତ କହିଛନ୍ତି, ଆକାଉଣ୍ଟ ସମ୍ପର୍କିତ କାଗଜପତ୍ର ଯାଞ୍ଚପାଇଁ ଇଡି ଡକାଇଥିଲା । ମୁଁ ସହଯୋଗ କରିଛି ।