ଅଯୋଧ୍ୟାରେ ବିଳମ୍ବିତ ରାତ୍ରିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୪.୩

ଅଯୋଧ୍ୟା,ଏଜେନ୍ସି: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଗୁରୁବାର ବିଳମ୍ବିତ ରାତି ପ୍ରାୟ ୧୨ଟାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା କୁହାଯାଉଛି। ଭୂକମ୍ପ କାରଣରୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ପ୍ରକାରର ଧନ-ଜୀବନକୁ ବିପଦ ପହଞ୍ଚି ନଥିବା ଜଣାପଡ଼ିଛି। କିନ୍ତୁ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକେ ଭୟଭୀତ ହୋଇ ଘର ବାହାରକୁ ଆସିଯାଇଥିଲେ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅଯୋଧ୍ୟାରେ ଗୁରୁବାର ବିଳମ୍ବିତ ରାତି ପ୍ରାୟ ୧୨ଟାରେ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସିସ୍‌ମୋଲୋଜୀ ଅନୁସାରେ ରାତି ୧୧ଟା ୫୯ ମିନିଟ ଏବଂ ୨୨ ସେକେଣ୍ଡରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ମପାଯାଇଥିଲା। ସେଣ୍ଟର କହିବା ଅନୁସାରେ ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଟରୁ ୧୫ କିଲୋମିଟର ତଳକୁ ଥିଲା। ବିଳମ୍ବିତ ରାତିରେ ଭୂକମ୍ପ ହୋଇଥିବାରୁ ଲୋକେ ଭୟଭୀତ ହୋଇ ବାହାରକୁ ଆସିଯାଇଥିଲେ।